ପୁରୀ : ଆଜି ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବଳିବାମନ ବେଶ ନୀତି । ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଥିଲା । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ । ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ । ଏହି ବେଶ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ ।
ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ । ଏହି ବେଶ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ।
ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ମାତା ଅଦିତି ଏବଂ ଋଷି କଶ୍ୟପଙ୍କ କନିଷ୍ଠ ପୁତ୍ର ଭାବରେ ବାମନ ରୂପ ନେଇ ଜନ୍ମ ହୋଇଥିଲେ । ବେଦ, ପୁରାଣ ଓ ହିନ୍ଦୁ ମହାକାବ୍ୟରେ ତାଙ୍କୁ ତ୍ରିବିକ୍ରମ, ଉରୁକ୍ରମ, ଉପେନ୍ଦ୍ର, ଦଧିବାମନ ଏବଂ ବଳିବନ୍ଧନ ନାମରେ ମଧ୍ୟ ଜଣାଯାଏ। ବାମନ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦୈତ୍ୟରାଜା ମହାବଳିଙ୍କଠାରୁ ତ୍ରୈଲୋକ୍ୟ (ସ୍ୱର୍ଗ, ମର୍ତ୍ୟ ଓ ପାତାଳ) ନେଇ ବିଶ୍ୱର ବ୍ରାହ୍ମଣ୍ୟ ଶୃଙ୍ଖଳା ପୁନଃସ୍ଥାପନ କରିବା। ତେଣୁ ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି।
ମଧ୍ୟାନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଧାରଣ କରିଥାନ୍ତି। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ ହୁଏ । ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁଙ୍କୁ ଭୂଷିତ କରାଯାଇଥାଏ । ସତ୍ୟ ଯୁଗରେ ଯେଉଁପରି ଭାବରେ ବାମନ ଆବିର୍ଭାବ ହୋଇଥିଲେ ମାହାପ୍ରଭୁଙ୍କୁ ଠିକ ସେହିପରି ଭାବରେ ବେଶ ଲାଗି କାରାଯାଇଥାଏ । ଏହାକୁ ବଳିବାମନ ବେଶ ବୋଲି କୁହାଜାଏ ।
