ଭୁବନେଶ୍ବର: ଗୁରୁବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି। ବିଧାନସଭା ପରିସରରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ବାବୁ ସିଂଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି । ଏହି ଅବସରରେ ଉତ୍କଳମଣିଙ୍କ ଲୋକପ୍ରିୟ ସଙ୍ଗୀତ ମିଶୁ ମୋର ଦେହ ଏ ଦେଶ ମାଟିରେ ଗାନ କରାଯାଇଥିଲା।
ଗୋପବନ୍ଧୁଙ୍କ ଦାୟାଦ ଓ ବରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ସହ ଯୁବପିଢିମାନେ ତାଙ୍କ ମାର୍ଗକୁ ଅନୁକରଣ କରି ଆଗକୁ ବଢ଼ିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଦିନଦରିଦ୍ରଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ଦାସ ଥିଲେ ଏକାଧାରାରେ ଜଣେ ଦେଶପ୍ରେମୀ, ସମାଜସେବୀ, ସଂଗଠକ, ସଂସ୍କାରକ ତଥା ସାହିତ୍ୟିକ। ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ ଜଣାଶୁଣା ଥିଲେ। ୧୯୦୯ ମସିହାରେ ସାକ୍ଷୀଗୋପାଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ଜାତୀୟ ଚେତନା, ଜାତୀୟ ଶିକ୍ଷା ବ୍ୟବସ୍ଥା ସହିତ ଏକ ସ୍ୱତନ୍ତ୍ର ଉତ୍କଳ ଗଠନରେ ଉତ୍କଳମଣିଙ୍କ ଭୂମିକା ସ୍ୱତନ୍ତ୍ରସ୍ଥାନ ରହିଛି। ଏପରିକି ଗୋପବନ୍ଧୁ ଦାସ ଜଣେ ଲୋକପ୍ରିୟ କବି ଥିଲେ। ତାଙ୍କର ସାରସ୍ୱତ ରଚନା ମଧ୍ୟରୁ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’, ‘ନଚିକେତା ଉପାଖ୍ୟାନ’, ‘ଗୋ-ମାହାତ୍ମ୍ୟ’, ‘ଅବକାଶ ଚିନ୍ତା’ ଥିଲା ଅନ୍ୟତମ।
ସେହିପରି,ଉତ୍କଳ ସମ୍ମିଳନୀ ପକ୍ଷରୁ ଭୁବନେଶ୍ୱର ଗୋପବନ୍ଧୁ ଛକ ନିକଟରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ଓ ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ମଧ୍ୟ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ସମାଜର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି ।
