ଆଜି ପବିତ୍ର ଅକ୍ଷୟ ତୃତୀୟା,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଦିନରେ ଚାଷୀ ଭାଇମାନେ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଏହିଦିନ କୃଷକମାନେ ଭଲ ତିଥ୍ ଓ ସମୟ ଯୋଗ ଦେଖ୍ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ମହାନ ପର୍ବ ।

ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ । ବିଧି ପରମ୍ପରା ଅନୁଯାୟୀ ଆଜି ରଥ ନିର୍ମାଣ କାର୍ଯ୍ୟର ହେବ ଶୁଭ ଅନୁକୁଳ। ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ହେବ ଅନୁକୂଳ କାର୍ଯ୍ୟ।

ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି। ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ।

ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀଭାଇମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ । ଚଳିତ ବର୍ଷ ଭଲ ଫସଲ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।’

ସେହିପରି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ। ଏହା ହେଉଛି ଶୀତଳଷଷ୍ଠୀର ଆଦ୍ୟ ପର୍ବ। ଆଜି ଅପରାହ୍ନରେ ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ ଥାଳ ଉଠିବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଓ ଅନୁଦାନ ସଂଗ୍ରହ କରାଯିବ।

Launching Ceremony of “AYUSHMAN BHARAT

Comments are closed.