ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଲାଗିଛି ଶକ୍ତ ଝଟକା । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ମଙ୍ଗ ସମ୍ଭାଳିଥିବା ମମତା ବାନାର୍ଜୀଙ୍କ ଟିଏମସି ଉପ ରାଷ୍ଟ୍ରପତି ନିର୍ବାଚନରେ ନିଜ ଆଭିମୁଖ୍ୟ ବଦଳାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶକ୍ରମେ ବିରୋଧୀ ଦଳଗୁଡ଼ିକ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ । ହେଲେ ଏବେ ମମତା କଂଗ୍ରେସ ଦ୍ୱାରା ଚୟନ ହୋଇଥିବା ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବେ ନାହିଁ ।
କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଯେଉଁଭଳି ଉପ ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ, ତାହା ମମତାଙ୍କୁ ବ୍ୟଥିତ କରିଛି । ଏଥିପାଇଁ ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ କିମ୍ବା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚନରେ ଟିଏମସିର ସାଂସଦମାନେ କୌଣସି ବି ପ୍ରାର୍ଥୀଙ୍କ ଭୋଟ ଦେବେ ନାହିଁ । ଭୋଟ ଦାନରୁ ଟିଏମସି ସାଂସଦମାନେ ଦୂରେଇ ରହିବେ ବୋଲି ଆଜି ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳର ସଦସ୍ୟମାନେ ମମତା ବାନାର୍ଜୀଙ୍କ ସହ ଆଲୋଚନା ନ କରି ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ।

ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଉପରେ ମମତା ଖªା ହୋଇଛନ୍ତି । ଆଲଭାଙ୍କ ସହ ମମତାଙ୍କ ସମ୍ପର୍କ ଭଲ । ହେଲେ ତାଙ୍କ ନାଁ ଘୋଷଣା ପୂର୍ବରୁ ଏନସିପି କିମ୍ବା କଂଗ୍ରେସର ନେତାମାନେ ମମତାଙ୍କୁ କିଛି ବି କହି ନଥିଲେ । ଏଥିପାଇଁ ତାଙ୍କ ଦଳ ଉପ ରାଷ୍ଟ୍ରପତି ନିର୍ବାଚନରେ ଆବସେଣ୍ଟ ରହିବାକୁ ନିଷ୍ପତ୍ତି ନେଇଛି ।
ଟିଏମସିର ଜାତୀୟ ସମ୍ପାଦକ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି, ଟିଏମସିକୁ ଅନ୍ଧାରରେ ରଖି ଯେଉଁଭଳି ଭାବେ ବିରୋଧୀ ମେଣ୍ଟର ପ୍ରାର୍ଥୀଙ୍କୁ ବଛା ଗଲା, ତାହା ଆଦୌ ଗ୍ରହଣୀୟ ନୁହେଁ । କେହି ବି ଆମ ସହ ଆଲୋଚନା କରି ନାହାନ୍ତି କିମ୍ବା ଆମ ମତାମତ ନେଇ ନାହାନ୍ତି । ତେଣୁ ଆମେ ବିରୋଧୀ ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ନାହିଁ ।

ଉଭୟ ଗୃହରେ ଆମର ୩୫ ଜଣ ସାଂସଦ ଅଛନ୍ତି । ତଥାପି ଆମ ସହ ଆଲୋଚନା ହେଲନି । ମମତା ବାନାର୍ଜୀଙ୍କ ସହ ଆଲଭାଙ୍କ ଭଲ ସମ୍ପର୍କଛ କି;ୁ ଦେଶର ଉପ ରାଷ୍ଟ୍ରପତି ଜଣେ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ରଖି ନିର୍ବାଚିତ ହୋଇପାରିବେ ନାହିଁ । ଆମର ୮୫% ସାଂସଦ ଭୋଟ ଦାନରୁ ଦୂରେଇ ରହିବା ସପକ୍ଷରେ ମତ ରଖିଥିଲେ । ଶେଷରେ ସର୍ବସମ୍ମତିକ୍ରମେ ଆମେ ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଛୁ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ଆମେ ଆବସେଣ୍ଟ ରହିବୁ । ସୂଚନାଯୋଗ୍ୟ, ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ଅଗଷ୍ଟ ୧୦ରେ ଉପ ରାଷ୍ଟ୍ରପତି ଭାବେ କାମ କରୁଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବ ।
Comments are closed.