ଝାରସୁଗୁଡ଼ା: ବ୍ରଜରାଜନଗର ଉପ-ନିର୍ବାଚନ ମଣ୍ଡଳୀରେ ୩୧ତାରିଖ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ନିର୍ବାଚନ ପ୍ରଚାର ୨୯ ତାରିଖରେ ଶେଷ ହେବ । ଏଣୁ ତିନିଟି ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ ଜାତୀୟ କଂଗ୍ରେସର ପ୍ରାର୍ଥୀଙ୍କ ସମେତ ବହୁ ସଂଖ୍ୟକ ବଡ଼ ବଡ଼ ନେତା ଓ ତାରକା ପ୍ରଚାରକମାନେ ନିର୍ବାଚନ ମଣ୍ଡଳୀର ଗଳିକନ୍ଦିକୁ ଯାଇ ଘରକୁ ଘର ପ୍ରଚାର କରୁଛନ୍ତି । ଏବେ ପ୍ରତି ଗାଁକୁ କୌଣସି ନା କୌଣସି ଦଳର ପ୍ରାର୍ଥୀ ଓ ନେତାମାନେ ପ୍ରଚାର କରିବାକୁ ପହଞ୍ଚୁଥିବାରୁ ଉତ୍ସବର ବାତାବରଣ ଦେଖିବାକୁ ମିଳୁଛି ।
ବିଜୁ ଜନତା ଦଳର ୫୦ରୁ ଅଧିକ ନେତା ଗତ ପ୍ରାୟ ୨ସପ୍ତାହ ହେବ ଝାରସୁଗୁଡ଼ା ଓ ବେଲପାହାଡ଼ ସହରର ଭିନ୍ନ ଭିନ୍ନ ହୋଟେଲରେ ଶିବିର କରିଥିବା ବେଳେ ପ୍ରତିଦିନ ନିଜ ନିଜ ଦାୟିିିତ୍ୱରେ ଥିବା ଗ୍ରାମାଞ୍ଚଳ ଅଥବା ସହରୀ ୱାର୍ଡକୁ ପ୍ରଚାର ପାଇଁ ଯାଉଛନ୍ତି । ବରିଷ୍ଠ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଅରୁଣ ସାହୁ, ସମୀର ଦାସ, ପ୍ରତାପ ଜେନା, ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାଶବର୍ମା ପ୍ରମୁଖ ବ୍ରଜରାଜନଗର, ବନ୍ଧବାହାଲ, ବେଲପାହାଡ଼ ଆଦି ଅଞ୍ଚଳରେ ପ୍ରଚାର କରିଛନ୍ତି । ତିନି ଜଣ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ ଓ ଅରିନ୍ଦମ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି ।
ଭାରତୀୟ ଜନତା ପାର୍ଟି ପକ୍ଷରୁ ଅତି କମ୍ରେ ୩ ଜଣ ସାଂସଦ ଓ ୧୦ଜଣ ବିଧାୟକଙ୍କ ସମେତ ବହୁ ସଂଖ୍ୟକ ରାଜ୍ୟସ୍ତରୀୟ ନେତୃବୃନ୍ଦ ବିଭିନ୍ନ ଗାଁରେ ପ୍ରଚାର କରୁଛନ୍ତି । ଏହା ସହିତ ଦଳ ପକ୍ଷରୁ ମିଶ୍ରଣ ପର୍ବ ମଧ୍ୟ ଜାରି ରହିଛି । ନେତୃବୃନ୍ଦଙ୍କ ସହିତ ପ୍ରସିଦ୍ଧ ଭୋଜପୁରୀ ଚଳଚ୍ଚିତ୍ର ତାରକା ଦୀନେଶ ଲାଲ ଯାଦବ(ନିରହୁଆ) ଆଜି ପ୍ରଚାର ଅଭିଯାନରେ ଯୋଗଦେଇ ବ୍ରଜରାଜନଗର ସହରାଞ୍ଚଳରେ ଭୋଟ ମାଗିଥିଲେ । ଅନୁରୂପ ଭାବେ ଓଡ଼ିଆ ଚଳଚ୍ଚିତ୍ର ତାରକା ପିଙ୍କି ପ୍ରଧାନ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ସମର୍ଥକଙ୍କ ସହିତ ୧୯ଖଣ୍ଡ ମୋଜା, ଲଖନପୁର ଜୋନ ୨ ଆଦି ଅଞ୍ଚଳରେ ଘରକୁ ଘର ବୁଲି ଭୋଟ ମାଗିଛନ୍ତି ।
ପ୍ରଚାର ମଇଦାନରେ କଂଗ୍ରେସ ମଧ୍ୟ ପଛରେ ନାହିଁ । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ ପ୍ରଭାରୀ ଡ଼. ଚେଲ୍ଲା କୁମାର, ବିଧାୟକ ଦଳ ନେତା ନରସିଂହ ମିଶ୍ର , ଲୋକପ୍ରିୟ ନେତା ବିଧାୟକ ସୁର ରାଉତରାୟ, ତାରାପ୍ରସାଦ ବାହିନୀପତି, ରାଜନ ଏMା, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ନେତୃବୃନ୍ଦ ବିଭିନ୍ନ ସ୍ଥାନରେ ପ୍ରଚାର କରୁୁଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଦଳୀୟ ପ୍ରାର୍ଥୀ କିଶୋର ପଟେଲ ନେତା ଓ ସମର୍ଥକଙ୍କ ଗହଣରେ ଗାନ୍ଧୀଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଇଏସଆଇ ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଛ ଦଳର ଅନ୍ୟାନ୍ୟ ନେତା ଓ କର୍ମୀମାନେ ଲଖନପୁର ଜୋନ ୧, ୨ ଓ ୩ରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଶନିବାର ଓ ରବିବାର କେବଳ ୨ଦିନ ପ୍ରଚାର ହେବାକୁ ଥିବା ବେଳେ ର୍ନିବାଚନ ପୂର୍ବବର୍ତ୍ତି ଦିନ ସୋମବାରରେ ପ୍ରଚାର କାର୍ଯ୍ୟ ବନ୍ଦ ରହିବ । ଏଣୁ ହାତରେ କେବଳ ୨ଦିନ ଥିବା ହେତୁ ପ୍ରଚାରରେ କୌଣସି ଦୁର୍ବଳତା ଯେମିତି ନ ରୁହେ ଓ କୌଣସି ଭୋଟର ଯେମିତି ଅପହଞ୍ଚ ହୋଇ ନ ରୁହନ୍ତି ସେ ପାଇଁ ପ୍ରାର୍ଥୀ, ନେତା, କର୍ମୀ ଓ ସମର୍ଥକ ଯତ୍ପରୋନାସ୍ତି ପ୍ରୟାସ ଜାରି ରଖିଛନ୍ତି ।
Comments are closed.