ନରମ ହେଉଛି ପାଗ ,ଆଉ ୬ ଦିନ ବର୍ଷା

ଭୁବନେଶ୍ୱର : ରାଜ୍ୟର ୬ ତାରିଖ ଠାରୁ ବଦଳିଛି ପାଣିପାଗ I ସକାଳୁ ସକାଳୁ ଖରା ଟାଇଁ ଟାଇଁ ମାରୁଥିବା ବେଳେ,ଅପରାହ୍ନରେ କାଳବୈଶାଖୀ ଯୋଗୁଁ ପାଗ ନରମ ପଡୁଛି I ସଂଧ୍ୟାବେଳକୁ ଥଣ୍ଡା ପବନ ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଗରମରୁ ରକ୍ଷା ମିଳିଛି I ୬ ତାରିଖ ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ଯୋଗୁଁ କମିଛି ଦିନର ତାପମାତ୍ରା I ଗୁରୁବାର କୋରାପୁଟରେ ପ୍ରବଳ କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଗଛ ଡାଳ ଭାଙ୍ଗିଛି। ଏହାସହ ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। ତେବେ ଆଗକୁ ୬ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ I ସେହିପରି କାଳବୈଶାଖୀ ବର୍ଷା ଯୋଗୁଁ ଟ୍ୱିନ ସିଟିର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ସହ ଅପରାହ୍ନରେ କିଛି କିଛି ସ୍ଥାନରେ ବର୍ଷା ହୋଇ ପାଗ ଥଣ୍ଡା ରହୁଛି I

ବିଶେଷକରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ୧୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ନେଇ ୪ ଦିନ ପର୍ଯ୍ୟନ୍ତ ଏଭଳି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶୁକ୍ରବାର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ ତୀବ୍ର ବେଗରେ ପବନ ବହିବା ସହ ଘଡ଼ଘଡ଼ି ବିଜୁଳିର ଆଶଙ୍କା କରାଯାଉଛି। ଆସନ୍ତା ୧୫ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ଲାଗି ରହିବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗରୁ ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.