ଭୁବନେଶ୍ୱର : ପଛକୁ ପଛ ଲଘୁଚାପ ଯୋଗୁଁ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ କୌଣସି ନଦୀରେ ବନ୍ୟାସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି । ଜଳଭଣ୍ଡାରକୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖାପାଖି ଇନଫ୍ଲୋ ଅଛି । ଏବେ ପର୍ଯ୍ୟନ୍ତ ୬ଟି ସ୍ଳୁଇସ୍ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେଉଛି ।
୬ଟି ଗେଟ ଦ୍ବାରା ୧.୩୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ଆଜି ଆଭରେଜ ୨୪ ମିଲିମିଟର ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୨୭ ମିଲିମିଟର ବର୍ଷା ହୋଇଛି । ବୈତରଣୀରେ ବେସିନରେ ୧୧ ଏମଏମ ବର୍ଷା ହୋଇଛି । ଫଳରେ ସବୁ ଜାଗାରେ ଜଳଭଣ୍ଡାର ସ୍ତର ଅଧିକ ବୃଦ୍ଧି ପାଉଛି । ହେଲେ କୌଣସି ଜାଗାରେ ନଦୀ ଜଳସ୍ତର ବିପଦ ସଂକେତ ଉପରେ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଭକ୍ତରଂଜନ ମହାନ୍ତି । ଏହି ଲଘୁଚାପ ପାଇଁ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଉପର ବ୍ରାହ୍ମଣୀରେ ବର୍ଷା ପାଇଁ ଟିକେ ଜଳସ୍ତର ବଢ଼ିପାରେ। ଆଉ ୩୦ରୁ ୪୦ହଜାର କ୍ୟୁସେକ ଜଳ ବଢ଼ିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ,ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ଏହା ଲଘୁଚାପରେ ପରିବର୍ତ୍ତିତ ହୋଇପାରେ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରି ରହିଛି। ଏହି ସ୍ଥିତି ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଶୁକ୍ରବାର ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼,କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ ସମ୍ପୃକ୍ତ ୫ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ।
Comments are closed.