ଭାରତରେ ଏପରି ବହୁ ସ୍ଥାନ ରହିଛି ଯାହା ବେଶ୍ ରହସ୍ୟମୟ । ସେହିପରି ଏକ ରହସ୍ୟମୟ ମନ୍ଦିର ହେଉଛି କର୍ଣ୍ଣାଟକର ହାସନ ଜିଲ୍ଲା ସ୍ଥିତ ହସନମ୍ବା ମନ୍ଦିର ଯାହା ବର୍ଷକୁ ଥରେ କେବଳ ଦୀପାବଳି ସମୟରେ ଖୋଲିଥାଏ । ମନ୍ଦିରର ଦ୍ୱାର ବନ୍ଦ ହେବା ପୂର୍ବରୁ ଏଠାରେ ଏକ ଦୀପ ଜଳାଯାଏ । ବାଙ୍ଗାଲୁର ଠାରୁ ପ୍ରାୟ ୧୮୦ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର ଦେବୀ ଶକ୍ତି ଅର୍ଥାତ୍ ମାତା ଅମ୍ବାଙ୍କୁ ସମର୍ପିତ । ଏହି ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ମନ୍ଦିରର ନାମ ଅନୁସାରେ ସହରର ନାମ ହସନ ରଖାଯାଇଛି । ପୂର୍ବରୁ ଏହି ସହର ସିହମାସନପୁରୀ ନାମରେ ପରିଚିତ ଥିଲା । ଏହି ମନ୍ଦିରର ସ୍ୱତନ୍ତ୍ରତା ଓ ଏହାର ବିଶେଷ କିମ୍ବଦନ୍ତୀ ବି ରହିଛି । ମନ୍ଦିରଟି ଶ୍ରଦ୍ଧାଳୁଙ୍କ ପାଇଁ ବର୍ଷକୁ କେବଳ ଗୋଟିଏ ସପ୍ତାହ ଲାଗି ଗୋଟିଏ ଥର ଖୋଲିଥାଏ । ଦକ୍ଷିଣ ଭାରତର ଏହି ପ୍ରସିଦ୍ଧ ମନ୍ଦିରର ବିଶେଷତ୍ୱ ବିଷୟରେ ଆସନ୍ତୁ ଜାଣିବା ।

ମନ୍ଦିର ସହ ଜଡିତ କାହାଣୀ:
ପୌରାଣିକ କଥାବସ୍ତୁ ଅନୁସାରେ ବହୁ ବର୍ଷ ତଳେ ଅନ୍ଧକାସୁର ନାମରେ ଏକ ରାକ୍ଷସ ଥିଲା । ଅନ୍ଧକାସୁର କଠୋର ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ଅଦୃଶ୍ୟ ହୋଇଯିବାର ବର ପ୍ରାପ୍ତ ହୋଇଥିଲା । ଏପରି ବରଦାନ ପାଇବା ପରେ ଚତୁର୍ଦ୍ଦିଗରେ ତାର ଅତ୍ୟାଚାର ବଢିଗଲା । ସମସ୍ତେ ତାର ଅତ୍ୟାଚାରରେ ତ୍ରାହି ତ୍ରାହି ଡାକିବାକୁ ଲାଗିଲେ । ଭଗବାନ ଶିବ ଏହା ଜାଣିପାରି ଅସୁରର ବିନାଶ କରିବାକୁ ସ୍ଥିର କଲେ । ଅସୁରର ଶକ୍ତି ଏତେ ପ୍ରବଳ ଥିଲା ଯେ, ଯେତେବେଳେ ଶିବ ତାକୁ ହତ୍ୟା କରିବାକୁ ଚେଷ୍ଟା କଲେ ସେତେବେଳେ ଅସୁର ଶରୀରର ଗୋଟିଏ ଗୋଟିଏ ବୁନ୍ଦା ଲହୁ ଭୂମିରେ ପଡି ରାକ୍ଷସ ପୁଣି ଜନ୍ମ ନେଉଥିଲା । ଏହା ଦେଖି ଶିବ ନିଜ ଶକ୍ତି ବଳରେ ଯୋଗେଶ୍ୱରୀ ଦେବୀଙ୍କୁ ସୃଷ୍ଟି କରିଥିଲେ ଯିଏ କି ଏହିଠାରେ ଅନ୍ଧକାସୁରର ବିନାଶ କରିଥିଲେ । ସେହିଦିନ ଠାରୁ ଦେବୀ ଏଠାରେ ପୂଜା ପାଇ ଆସୁଛନ୍ତି ବୋଲି କୁହାଯାଏ ।

ବର୍ଷକୁ ଥରେ ଖୋଲିଥାଏ ମନ୍ଦିର:
ଭକ୍ତଙ୍କ ଲାଗି ଦୀପାବଳିରେ ଏହି ମନ୍ଦିର କେବଳ ୭ ଦିନ ଲାଗି ଖୋଲିଥାଏ । ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆଶୀର୍ବାଦ ନେବା ପାଇଁ ଆସିଥାନ୍ତି । ମନ୍ଦିର ବନ୍ଦ ହେବା ପୂର୍ବରୁ ଏଠାରେ ଘିଅ ଦୀପ ଜଳାଯାଏ ଓ ଗର୍ଭ ଗୃହରେ ଫୁଲ ଏବଂ ଅନ୍ନ ପ୍ରସାଦ ରଖାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏକ ବର୍ଷ ପରେ ପୁନର୍ବାର ଯେତେବେଳେ ମନ୍ଦିରର ଦ୍ୱାର ଖୋଲାଯାଏ ସେତେବେଳେ ଦୀପ ଜଳୁଥିବାର ଦେଖିବାକୁ ମିଳିଥାଏ । ଏପରିକି ବର୍ଷକ ତଳେ ଚଢାଯାଇଥିବା ଫୁଲ ବି ତାଜା ରହିଥାଏ । ଏହା ସହିତ ବର୍ଷକ ତଳର ଅନ୍ନ ପ୍ରସାଦ ବି ଖରାପ ହୋଇ ନ ଥାଏ ।

ମନ୍ଦିରର ବାସ୍ତୁକଳା:
ଅନ୍ୟ ଏକ ପୌରାଣିକ କଥାବସ୍ତୁ ଅନୁସାରେ ଏକଦା ସପ୍ତ ମାତୃକା ଅର୍ଥାତ୍ ବ୍ରାହ୍ମୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବାରହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡୀ ସମୁଦ୍ରରେ ପହଁରି ପହଁରି ଦକ୍ଷିଣ ଭାରତରେ ପହଞ୍ଚିଥିଲେ ଓ ହସନର ସୌନ୍ଦର୍ଯ୍ୟ ଦେଖି ବିସ୍ମିତ ହୋଇଥିଲେ ଓ ଏହିଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ହସନମ୍ବା ଓ ସିଦ୍ଧେଶ୍ୱରଙ୍କୁ ସମର୍ପିତ ଏହି ମନ୍ଦିର ପରିସରରେ ତିନି ମୁଖ୍ୟ ମନ୍ଦିର ରହିଛି । ହସନମ୍ବାର ମୁଖ୍ୟ ମୀନାରର ନିର୍ମାଣ ଦ୍ରାବିଡ ଶୈଳୀରେ କରାଯାଇଥିଲା । ଏହାର ଅନ୍ୟ ଏକ ପ୍ରମୁଖ ଆକର୍ଷଣ କଳªାଙ୍କୁ ସମର୍ପିତ ମନ୍ଦିର ।

ମନ୍ଦିରର ଚମତ୍କାରୀତା:
କିମ୍ବଦନ୍ତୀ ରହିଛି ଯେ, ବୋହୂକୁ ଘରୁ ତଡି ଦେଇଥିବା ଜଣେ ଶାଶୂଙ୍କୁ ଦେବୀ ହସନମ୍ବା ପଥର କରିଦେଇଥିଲେ । ଏହି ବୋହୂ ଜଣକ ଦେବୀଙ୍କ ଭକ୍ତ ଥିଲେ । ସେହିପରି ଦେବୀଙ୍କ ଗହଣା ଚୋରୀ କରିବାକୁ ଚେଷ୍ଟା କରୁଥିବା ୪ ଜଣ ଲୁଟେରାଙ୍କୁ ମଧ୍ୟ ଦେବୀ ପଥର କରି ଦେଇଥିଲେ । ଏବେବି କଳªା ଗୁଡିରେ ଏହି ୪ ପଥର ଦେଖିବାକୁ ମିଳିଥାଏ । ଏହି ପଥର ପ୍ରତି ବର୍ଷ ନିଜ ସ୍ଥାନରୁ ଏକ ଇଞ୍ଚ ଘୁଞ୍ଚୁଛି ବୋଲି ମଧ୍ୟ ସ୍ଥାନୀୟ ଲୋକମାନେ କହିଥାନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ଏହି ପଥର ଘୁଞ୍ଚି ଘୁଞ୍ଚି ଯେତେବେଳେ ଦେବୀ ହସନମ୍ବାଙ୍କ ଚରଣ ନିକଟରେ ପହଞ୍ଚିଯିବ ସେତେବେଳେ କଳିଯୁଗ ସମାପ୍ତ ହୋଇଯିବ ।

Comments are closed.