ବାରିପଦା : ଜନ୍ମ ମାଟିରେ ଆସି ପହଁଚିଲେ ରାଷ୍ଟ୍ରପତି I ଆଜି ୩ ଦିନିଆ ଓଡିଶା ଗସ୍ତରେ ଆସି ମୟୁରଭଞ୍ଜ ରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦୀର୍ଘ ୧୧ମାସ ପରେ ପ୍ରଥମ ଥର ନିଜ ଜନ୍ମମାଟିକୁ ଆସିବାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ଦିନ ପ୍ରାୟ ୧୦ଟା ୨୦ରେ ସେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁରର ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାରସକଣା ବିଧାୟକ ବୁଧାନ ମୁର୍ମୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ପ୍ରମୁଖ ସ୍ୱାଗତ କରିଥିଲେ।
ରାଷ୍ଟ୍ରପତିଙ୍କୁ ଦେଖିବାକୁ ବାଦାମପାହାଡ଼ରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକଙ୍କ ଉତ୍ସାହ ଦେଖି ନିଜକୁ ରୋକି ପାରିନଥିଲେ। ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ପରେ ହେଲପ୍ୟାଡରୁ ଚାଲିଚାଲି ଆସି ତୁମେ ମାନେ ଭଲ ଅଛ କି ନାହିଁ ବୋଲି ଲୋକଙ୍କୁ ପଚାରିଥିଲେ।
ଗୁରୁବାର ଶାଶୂଘର ଗ୍ରାମ ପାହାଡପୁର, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବାଦାମପାହାଡ, ଦାଣ୍ଡବୋଷରେ ୨ଟି ହେଲିପ୍ୟାଡ ନିର୍ମାଣ କରାଯାଇଛି। ପାହାଡ଼ପୁର ଗସ୍ତ ସମୟରେ ରାଷ୍ଟ୍ରପତି ସ୍ବର୍ଗତଃ ଶ୍ୟାମଚରଣ ମୁର୍ମୁଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି I ସେଠାରୁ ଗୋଶାଣୀ ଗସ୍ତରେ ଯାଇ ନାବାର୍ଡ ଦ୍ୱାରା ଏସ.ଏଲଏ.ସ ସ୍କୁଲରେ ନିର୍ମିତ କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ କରିବେ I ସେଠାରେ ରାଷ୍ଟ୍ରପତିଙ୍କ ବସିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକIର ଚୋୖକିର ବ୍ୟବସ୍ଥା କରିଛନ୍ତି ସ୍କୁଲ ଅନ୍ତେବାସୀ I
ସେଠାରୁ ରାଷ୍ଟ୍ରପତି ପୂର୍ବାହ୍ନ ୧୨ଟା ୩୦ମିନିଟରେ ବାହାରି ହାଟବାଦଡା ସ୍ଥିତ ସାତପଉଟିଆରେ ଥିବା ବ୍ରହ୍ମକୁମାରୀ କେନ୍ଦ୍ରକୁ ଯାଇ ନିଶାମୁକ୍ତ ଓଡ଼ିଶା ପ୍ରଚାର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ସେହିପରି ଦିନ ୧ଟାରେ ବାହାରି ରାଇରଙ୍ଗପୁର ସ୍ଥିତ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ନେବା ପରେ ଅପରାହ୍ନ ୪ଟାରେ ବାହାରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ୪ଟା୨୫ରେ ବଡ଼ବନ୍ଧଠାରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉଡାଇବେ ଓ ୪ଟା ୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।
ପରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଫିସ ପରିଦର୍ଶନ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ମହୁଲଡିହା ବଙ୍ଗଳାରେ ପହଞ୍ଚି ସନ୍ଧ୍ୟା ୬ଟା୩୦ରୁ ୭ଟା ୩୦ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବଙ୍ଗଳାରେ ରାତ୍ରିଯାପନ କରିବେ। ୫ ତାରିଖ ସକାଳ ୭ଟା ୫୫ ମିନିଟରେ ବାହାରି ରାଇରଙ୍ଗପୁର ବାସଭବନରେ ପହଞ୍ଚିବା ପରେ ୮ଟା ୪୦ରେ ଦାଣ୍ଡବୋଷ ହେଲିପ୍ୟାଡକୁ ଯାଇ ଜନ୍ମମାଟିରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ୯ଟା ୧୫ରେ ହେଲିକପ୍ଟର ଯୋଗେ ବାହାରି ଦିନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପ୍ୟାଡରେ ଅବତରଣ କରିବେ।
ପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ ଯାଇ ଚହଲାରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ୨ଟା ୩୦ରେ ବାହାରି ବାରିପଦା ଅଭିମୁଖେ ଯାତ୍ରା କରିବେ। ୫ଟା୨୫ରେ ବାରିପଦାର ରାଣୀବନ୍ଧ ହେଲିପ୍ୟାଡରେ ପହଞ୍ଚି ପରେ ସର୍କିଟ ହାଉସ୍ରେ ରହିବେ। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ରାତ୍ରିଯାପନ କରିବେ। ତହିଁ ପରଦିନ ଅର୍ଥାତ୍ ୬ ତାରିଖ ସକାଳ ୯ଟା୪୦ରେ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ପିଭିଟିଜିଏସ ପରେ ୧୧ଟା ୧୫ରୁ ୧୨ଟା ୧୫ପର୍ଯ୍ୟନ୍ତ ୧୨ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟଅତିଥି ଭାବେ ସଭାରେ ଉଦ୍ବୋଧନ ଦେବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଦାମପାହାଡ ଓ ରାଇରଙ୍ଗପୁର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା କଡା କଡୀ କରାଯାଇଛି । ତେବେ ଗତ କାଲିଠାରୁ ଏହି ଅଂଚଳରେ ମଧ୍ୟମଧରଣର ବର୍ଷା ଲାଗି ରହିଥିବାରୁ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଚେଷ୍ଟା ଜାରି ରହିଛି I
Comments are closed.