ଭୁବନେଶ୍ୱର : ଆଜି ବି ଚାଲିପାରିଲାନି ଗୃହ, ୪ଟା ଯାଏଁ ମୁଲତବୀ ଘୋଷଣା । ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ୧୦ ମିନିଟ୍ ବି ଚଲେଇଦେଲେନି ଗୃହ । ସୋମବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ବିଧାୟକ ମାନେ ପ୍ଲାକାର୍ଡ, ପୋଷ୍ଟର ଧରି ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକ ମାନଙ୍କୁ ବୁଝାଇବା ସହ ନିଜ ଆସନରେ ବସିବାକୁ ନିବେଦନ କରିଥିଲେ । ହେଲେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କୌଣସି କଥାକୁ ଖାତିର କରିନଥିଲେ ।
ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଅନାସ୍ଥା ନଆଣିବାକୁ ଫନ୍ଦି କରିବା ଅଭିଯୋଗରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିବା ବେଳେ ବିଜେଡି କିନ୍ତୁ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିବା ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲା । ଫଳରେ ଗୃହ ମାତ୍ର ୭ମିନିଟ୍ ଚାଲିବା ପରେ ବଚସ୍ପତି ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଚଳିତ ମୌସୁମୀ ଅଧିବେଶନରେ ମାତ୍ର ୭ ଟି କାର୍ଯ୍ୟ ଦିବସ ରହିଥିବାବେଳେ ଆଜି ଚତୁର୍ଥ ଦିନରେ ବି ଠପ ରହିଛି ଗୃହ କାର୍ଯ୍ୟ ।

Comments are closed.