କାଲିମେଳା : ଚରିତ୍ରକୁ ସନ୍ଦେହ କରି ବିଭତ୍ସ ହତ୍ୟାକାଣ୍ଡ । କଟୁରିରେ ହାଣି ସ୍ତ୍ରୀର ବେକ କାଟିଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ ନୀତେନ ବିଶ୍ୱାସ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏ ଭଳି ଜଘନ୍ୟ ହତ୍ୟାକାଣ୍ଡ ।
ସୂଚନାନୁଯାୟୀ, କାଲିମେଳା ଥାନା ଏମଭି ୬୬ ଗ୍ରାମର ନୀତେନ ବିଶ୍ୱାସ କାଲିମେଳା ବଜାରରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାନ୍ତି। ଶୁକ୍ରବାର ରାତିରେ ନୀତେନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନୀତେନ ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀକୁ ଅତି ବିଭତ୍ସ ଭାବରେ କଟୁରୀରେ ହାଣି ହତ୍ୟା କରିଛି। ଏହାପରେ କାଲିମେଳା ଥାନାରେ ଆତ୍ମସମର୍ପଣ କରିଛି। କାଲିମେଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିଲା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ କନ୍ଧମାଳ ଜିଲ୍ଲାରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା । ମଦ୍ୟପ ପୁତ୍ରକୁ ଛୁରୀ ଭୁସି ହତ୍ୟା କରିଛି ବାପା । ବାଲିଗୁଡ଼ା ଥାନା ଅନ୍ତର୍ଗତ ସିଂଗମିଲା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗତ ରାତିରେ ପୁଅ ପ୍ରଚୁର ମଦ ପିଇ ଆସି କବାଟ ବାଡେଇ ଭାଙ୍ଗି ଦେବାରୁ ଉତକ୍ଷିପ୍ତ ହୋଇ ବାପା ଏଇଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

Comments are closed.