ଭୁବନେଶ୍ୱର : କଲେଜ ସାମ୍ନାରେ ରହି ପାରିବ ନାହିଁ ଫାଷ୍ଟ ଫୁଡ ଦୋକାନ I ସରକାରୀ, ବେସରକାରୀ ବିଶ୍ବ ବିଦ୍ୟାଳୟ କିମ୍ବା ଏହା ଅଧୀନରେ ଆସୁଥିବା ମହାବିଦ୍ୟାଳୟ ପରିସରରେ ଜଙ୍କ୍ଫୁଡ୍ ବିକ୍ରି ହୋଇ ପାରିବ ନାହିଁ । ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ଜଙ୍କପୁଡ କିମ୍ବା କୌଣସି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ଲଗାଯାଇଛି ରୋକ୍। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ବେ ଉଚ୍ଚ ଶିକ୍ଷାନୁଷ୍ଠାନଗୁ ନିୟମ ପାଳନ କରୁ ନ ଥିବାରୁ ନ୍ୟାଶନାଲ ଆଡଭୋକେସି ଇନ ପବ୍ଲିକ ଇଣ୍ଟ୍ରେଷ୍ଟ(ଏନଏପିଆଇ)ର ଅନୁରୋଧ କ୍ରମେ ୟୁଜିସି ଏଭଳି ନିଷ୍ପତ୍ତି ନେଇଛି।
ଜଙ୍କଫୁଡ୍ ଖାଇବାଦ୍ବାରା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଡାଇବେଟିସ୍,ହାଇପରଟେନସନ୍ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଇସିଏମଆର ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ଚାରି ଜଣଙ୍କ ଠାରେ ଡାଇବେଟିସ୍ କିମ୍ବା ପ୍ରି ଡାଇବେଟିସ୍ ଲକ୍ଷଣ ଦେଖାଯାଉଛି । ଶିକ୍ଷାନୁଷ୍ଠାନର କ୍ୟାଣ୍ଟିନ ଗୁଡିକରେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଯିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି ।
ନିର୍ଦ୍ଦେଶାବଳୀ ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡିକରେ ଚିପ୍ସ ଜାତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିସହ ମଲାଇ ଗୋଲା, ସମସ୍ତ ପ୍ରକାର ମୃଦ୍ୟୁ ପାନୀୟ, ମିଠା ଜାତୀୟ ପଦାର୍ଥ(ରସଗୋଲା, ଗୋଲାପ ଜାମୁ, ଜିଲାପି, ବୁନ୍ଦି), ପିଜା, ବର୍ଗର, ଗୁପଚୁପ, ଦହିବରା ଆଳୁଦମ, ମଇଦାରୁ ପ୍ରସ୍ତୁତ ପିଠା ଓ ବିସ୍କୁଟ, ପେଟିସ, ଜାମ ଏବଂ ଜେଲି ପରି ଖାଦ୍ୟକୁ ବାରଣ କରାଯାଇଛି। ଏହାବ୍ୟତୀତ ମିଠା ଏବଂ ଲବଣଯୁକ୍ତ ଖାଦ୍ୟ ଯେପରି ପିଲାଙ୍କୁ ଦିଆ ନ ଯିବ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Comments are closed.