କାର ଡ୍ରାଇଭର ଲୁଟି ନେଲା ୭ ଲକ୍ଷ, ପୋଲିସ ହାତରେ ଧରାପଡିଲା

ଦେବଗଡ: ଜଣେ ସୁନା ଗହଣା ବ୍ୟବସାୟୀଙ୍କ ୭ ଲକ୍ଷ ଟଙ୍କା ଲୁଟ କରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ ଜଣେ ଲୁଟେରା ଡ୍ରାଇଭରକୁ ଗିରଫ କରିଛି । ଲୁଟେରା ପାଖରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଜବତ କରିଛି ପୋଲିସ । ଡ୍ରାଇଭର୍‌ ଜଣକ ହେଲେ ମୁକୁଳ ସନ୍ତୋଷ ଦାସ ।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ଗତ ୧୫ବର୍ଷ ହେଲା ମୁମ୍ବାଇରେ ରହି ସୁନା ଗହଣା ବେପାର କରୁଥିଲେ । ସେ ମୁମ୍ବାଇରୁ କୋଲକାତା ଅଭିମୁଖେ ନିଜ ଏକ୍ସୟୁଭି କାର ଯୋଗେ ବାହାରି ଥିବାବେଳେ ସାଙ୍ଗରେ ଡ୍ରାଇଭର୍‌ ଭାବେ ମୁମ୍ବାଇର ଜଣେ ଟ୍ୟାକ୍ସି ଡ୍ରାଇଭର୍‌ ମୁକୁଳ ସନ୍ତୋଷ ଦାସକୁ ନେଇ ଯାଉଥିଲେ ।

ରାତିରେ ଉଭୟ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କୈଳାଶ ଛକଠାରେ ଏକ ଢାବା ସମ୍ମୁଖରେ ଗାଡି ମଧ୍ୟରେ ଶୋଇଥିଲେ । ସକାଳ ସମୟରେ ଡ୍ରାଇଭର୍‌ ମୁକୁଳ ସନ୍ତୋଷ କାର ମଧ୍ୟରେ ବ୍ୟାଗରେ ଥିବା ସାତ ଲକ୍ଷ ଦଶ ହଜାର ଟଙ୍କା ଧରି ଫେରାର ମାରିଥିଲା । ଏନେଇ ନିର୍ମଳ ଚନ୍ଦ୍ର ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଲୁଟେରା ଡ୍ରାଇଭର୍‌ ମୋବାଇଲ ଟ୍ରାକ କରି ତାକୁ ବଡକୁଦର ଗ୍ରାମ ଥିବା ଟୋଲ ଗେଟ ନିକଟରୁ ଧରି ଥିଲା । ଏଥି ସହ ତା’ ନିକଟରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଜବତ କରିଛନ୍ତି ।

Govt

Comments are closed.