୩ ଦିନିଆ ମୁମ୍ବାଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ, ଆଜି ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ

ମୁମ୍ବାଇ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇ ଆଜି ମୁମ୍ବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ I ସଂଧ୍ୟାରେ ମୁମ୍ବାଇରେ ରୋଡ୍ ଶୋ କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଶିଷ୍ଟ ଉଦ୍ୟୋଗପତିଙ୍କୁ ଆହ୍ବାନ କରିବେ । ବାଣିଜ୍ୟିକ ରାଜଧାନୀରେ ଦେଶର ବଡ଼ ବଡ଼ ଶିଳ୍ପପତି ଓ ବିଜନେସ୍‌ ଲିଡରଙ୍କ ସହ ଓ୍ଵାନ୍‌ ଟୁ ଓ୍ଵାନ୍‌ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡ଼ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ବଡ଼ ବଡ଼ ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ଆଲୋଚନା ପରେ, ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ଏହାବାଦ ନବୀନ କିଛି ବିଶିଷ୍ଟ ବ୍ୟାଙ୍କର୍ସମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ୍ ଦିନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ୍ ଏସ.ଏସ. ମୁନ୍ଦ୍ରା, ଏଚ.ଡି.ଏଫ.ସି. ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା ଓ ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଝାଙ୍କ ସହ ଆଲୋଚନା କରିବେ । କେବଳ ସେତିକି ନୁହେଁ ,ଏସିଆନ୍ ପେଣ୍ଟସ, ଲାରସେନ୍ ଆଣ୍ଡ ଟର୍ବୋ ଭଳି କଂପାନୀର ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ସାମିଲ ହେବାକୁ ନିମନ୍ତ୍ରଣ ଦେବେ।

ତାପୂର୍ବରୁ ଗତକାଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ମୁମ୍ବାଇରେ ଥିବା ବଡ଼ବଡ଼ ୧୫ ଶିଳ୍ପସଂସ୍ଥାଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶାରେ ଥିବା ଶିଳ୍ପ ଅନୁକୂଳ ବାତାବରଣ, ଅତୁଳନୀୟ ନୀତି, ସ୍ୱତନ୍ତ୍ର ରିହାତି, ଶିଳ୍ପ ପ୍ରକଳ୍ପ ଆରମ୍ଭରୁ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ସରକାର ଦେଉଥିବା ସମସ୍ତ ଆନୁଷ୍ଠାନିକ ସହଯୋଗ ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଉତ୍କୃଷ୍ଟ ଭିତ୍ତିଭୂମି, ସହଜରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ ବ୍ୟାଙ୍କ, ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣ, ଇଣ୍ଡଷ୍ଟ୍ରିଆଲ ଜୋନ୍‌ ସୃଷ୍ଟି ହୋଇଛି I

ଏହାସହ ରାଜ୍ୟରେ ଥିବା ସାମାଜିକ ଓ ରାଜନୈତିକ ସ୍ଥିରତା ସମ୍ପର୍କରେ ଶିଳ୍ପ ସଂସ୍ଥା ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । IMP ପାୱାର, ଥାଇସେନ୍‌କ୍ରୁପ ଇଣ୍ଡିଆ, କ୍ରିସିଲ ଲିମିଟେଡ, ରୋଚେମ ସେପାରେସନ ସିଷ୍ଟମ, ନାଲକୋ ଭଳି କଂପାନୀ ଅଧିକାରୀ ମୁଖ୍ୟ ସଚିବଙ୍କ ସହ ସେ କଥା ହୋଇଥିଲେ । ଏହି ଆଲୋଚନା ବେଳେ ଅନେକ ଶିଳ୍ପସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଶିଳ୍ପସଂସ୍ଥାର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ନିମନ୍ତ୍ରଣ ସହ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ସକାଳ ନଅଟାରେ ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି । ବେଲ୍ ବାଜିବାର ୧୫ ମିନିଟ ପରେ ଏଠାରେ ଟ୍ରେଡିଂ ଆରମ୍ଭ ହୋଇଥାଏ।

Govt

Comments are closed.