ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଏୟାରପୋର୍ଟ ରାସ୍ତାରେ ଏକ କାର ଦୁର୍ଘଟଣା ଘଟିଛି I କାରଟି ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ୩୦ ଫୁଟ ଉପରକୁ ଉଠି ଯାଇଥିଲା I ତା’ପରେ ଗୋଟିଏ ଗଛ ଦେହରେ ପିଟି ହୋଇ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପସିଯାଇଥିବାର ଦେଖାଯାଇଥିଲା । ମାତ୍ର ସୌଭାଗ୍ୟବଶତଃ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ବେଳେ ଏକ କାର୍ରେ ୪ ଜଣ ଯୁବକ ଯାତ୍ରା କରୁଥିବା ସମୟରେ ଏୟାରପୋର୍ଟ୍ ପରିସରରେ ସିକ୍ୟୁରିଟି କେବିନ ନଂ ୧ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିଜୁ ପଟ୍ଟନାୟକ ଛକ ଆଡ଼କୁ ଆସୁଥିବା ଆଇ-୨୦ କାରଟି ଦୃତଗତିରେ ଆସି ଡିଭାଇଡ଼ରେ ପିଟି ହୋଇଥିବା ବେଳେ ଫିଲ୍ମ ଷ୍ଟାଇଲେ କାରଟି ୩୦ ଫୁଟ ଉପରକୁ ଉଠିଯାଇଥିଲା I ତା’ପରେ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପଶିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତା ଉପରେ ଗାଡ଼ିର ବିଭିନ୍ନ ପାର୍ଟସ ସବୁ ପଡ଼ିଥିବା ବେଳେ ଏକ ଗଛ ଭାଙ୍ଗି ଯାଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଦୁର୍ଘଟଣା ଘଟିଥିବା ସ୍ଥଳଟି ହାଇ ସିକ୍ୟୁରିଟି ଜୋନ୍ରେ ହୋଇଥିବାବେଳେ ଏହା ନବୀନ ନିବାସ ଠାରୁ ମାତ୍ର ୧୦୦ ମିଟର ଦୂର ହେବ I ଏଭଳି ଏକ ସମ୍ବେଦନଶୀଳ ଏ ରିଆରେ ଦ୍ରୁତଗତିରେ ଗାଡିଚାଳନା କୁ ନେଇ ପ୍ରଶ୍ନ ଉଠୁଛି I ସେହିଭଳି କମିଶନରେଟ୍ ପୋଲିସ୍ର ରାତି ପାଟ୍ରୋଲିଂ ଓ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆଜି ପୋଲିସ୍ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ତଦନ୍ତ ଚଳାଇବା ସହିତ ,ସମ୍ପୃକ୍ତ ଯୁବକମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

Comments are closed.