ବ୍ରହ୍ମପୁର : ବ୍ରହ୍ମପୁରରେ ଆଇନୀଜୀବ ପୀତବାସ ପଣ୍ଡାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଥିଲା ୯ ଏମ୍ଏମ୍ ଗୁଳି । ଡାହାଣ ଛାତି ଉପରିଭାଗରେ ଲାଗିଥିଲା ଗୁଳି । ଛାତିରୁ ମେରୁଦଣ୍ଡ ହାଡ଼ ପଛପଟକୁ ଗୁଳି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗୁଳିଟି ବହୁ ଶିରାପ୍ରଶିରା ନଷ୍ଟ କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି । ପୂର୍ବରୁ ଯୋଜନା ମୁତାବକ ସ୍ଥିତି ଉପରେ ନଜର ରଖି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି ।
ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ମର୍ଡରର ୪୮ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ସୁରାକ୍ ପାଉନି ପୋଲିସ । ହତ୍ୟା ପଛରେ ସୁପାରି କିଲର କି ? ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ତାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଛୁଟି ବାତିଲ କରି ବ୍ରହ୍ମପୁର ଏସପି ଡ଼କ୍ଟର ସର୍ବଣା ବିବେକ ଏମ ଫେରିଆସିଛନ୍ତି । ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବା ପାଇଁ ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଗଠନ ହୋଇଛି ୬ଟି ଟିମ । ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି। ସିସିଟିଭି ଫୁଟେଜ ଜବତ କରାଯାଇଛି । ଘଟଣାଦିନ ରାତିରୁ ନେଇ ଗତକାଲି ଭିତରେ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଇ ପଚରା ଉଚରା ଚାଲିଛି । ତେବେ ରାଜନୈତିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି, ତାର କରଣ ଖୋଜୁଛି ପୋଲିସ ।
ସୂଚନାନୁସାରେ,ରବିବାର ରାତି ପ୍ରାୟ ୧୦ ଟା ସମୟରେ ପୀତବାସ ପଣ୍ଡା ନିଜ ଚ୍ୟାମ୍ବରରୁ କାମସାରି ଖାଇବା ନେଇ ବୈକୁଣ୍ଠନଗରରେ ଥିବା ତାଙ୍କ ଘରକୁ ଫେରୁଥିବାବେଳେ ଘର ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇବା ପରେ ଅତର୍କିତ ଗୁଳି କରି ଫେରାର ହୋଇଯାଇଥିଲେ । ତେବେ କେଉଁ ପିସ୍ତଲରୁ ଗୁଳି ଫୁଟିଥିଲା ତାହା ସୁନିଶ୍ଚିତ କରିବା ପାଇଁ ମେଟାଲିକ ପ୍ରୋଜେକଟାଇଲ ଭୁବନେଶ୍ୱର ଫରେନସିକ ଲାବକୁ ପଠାଯିବ ।
ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
