ଭବାନୀପାଟଣା: ମେ ୩୧: ଛତିଶଗଡ଼ ମହାନଦୀ ଜଳ ଉପରେ ବ୍ୟାରେଜ କରିବା ନେଇ ମାମଲା କୋର୍ଟରେ ଥିବା ବେଳ ସମାନ ପରିସ୍ଥିତି ଆନ୍ଧ୍ରପ୍ରଦେଶ ପଟୁ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ସୀମାରେ ଥିବା ଅଞ୍ଚଳ କେବଳ ନାଗାବଳୀରେ ନୁହେଁ, ବଂଶଧାରାରେ ବି ବ୍ୟାରେଜ୍ ନିର୍ମାଣ କରୁଛି । କଳାହାଣ୍ଡି ଜିଲ୍ଲାରୁ ବାହାରିଥିବା ବଂଶଧାରା ନଦୀରେ ବ୍ୟାରେଜ୍ ନିର୍ମାଣ କରାଯାଇ ସେଠାକାର ଜମିକୁ ଜଳସେଚନ କରାଯାଉଛି । ହେଲେ, ଓଡ଼ିଶା ସରକାର ବଂଶଧାରା ନଦୀ ଉପରେ ଏପର୍ଯ୍ୟନ୍ତ କୌଣସି ବ୍ୟାରେଜ ନିର୍ମାଣ ନକରିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡ଼ ଅଞ୍ଚଳର ଲାଞ୍ଜିଗଡ଼ ନିକଟରୁ ବଂଶଧାରା ନଦୀର ଉତ୍ପତ୍ତି । ଏହି ନଦୀ ୨୫୪ କି.ମି. ଅତିକ୍ରମ କରିବା ପରେ କଳିଙ୍ଗ ପଟ୍ଟନମଠାରେ ବଙ୍ଗୋପସାଗରରେ ମିଶିଛି । ବଂଶଧାରା ନଦୀର କ୍ୟାଚମେଣ୍ଟ ଏରିଆ (ଜଳଗ୍ରହଣ କ୍ଷେତ୍ର) ୧୦ ହଜାର ୮୩୦ ବର୍ଗକିମି ରହିଛି । ସେଥିମଧ୍ୟରୁ ଓଡ଼ିଶାରେ ୮,୦୧୫ ବର୍ଗକିମି ଥିବାବେଳେ ଆନ୍ଧ୍ରପ୍ରଦେଶରେ ୨,୮୧୫ ବର୍ଗକିମି ରହିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଗୋଟା ଓ କାଟ୍ରାଗଡ଼ାଠାରେ ବ୍ୟାରେଜ ନିର୍ମାଣ କରାଯାଇଛି । ବୋଡ଼େପାଲି ରାଜଗୋପାଲ ରାଓ ପ୍ରକଳ୍ପ ନିର୍ମାଣ କରି ବଂଶଧାରା ନଦୀର ପାଣିକୁ ଜଳସେଚନ ପାଇଁ ବ୍ୟବହାର କରାଯାଉଛି । ଏହାର ବାମମୁଖ୍ୟ କେନାଲରେ ୧ ଲକ୍ଷ ୪୮ ହଜାର ଏକର ଜମିରେ ଜଳସେଚନ କରି ଚାଷ କରାଯାଇ ପାରୁଛି । ସେହିଭଳି ଦକ୍ଷିଣ ମୁଖ୍ୟ କେନାଲ ଦ୍ୱାରା ୬୨ ହଜାର ୨୮୦ ଏକର ଜମି ଜଳସେଚିତ ହେଉଛି । ଏଥିନିମନ୍ତେ ୧୬୬ଟି ଗାଁରେ ଜଳସେଚନ ସୁବିଧା କରାଯାଇଛି । ଆନ୍ଧ୍ରପ୍ରଦେଶର ଏଲ୍ଏନ୍ ପେଟାଡ଼, ହୀରାମଣ୍ଡଳ, ବୁର୍ଜା, ଆମାଡ଼ାଲେ ଭାଲାସା, ଗୋରା, ସାରୁବୁଜିଲି, ଶ୍ରୀକାକୁଲମ ବ୍ଲକ୍ ଅଞ୍ଚଳ ବଂଶଧାରା ନଦୀବନ୍ଧ ଯୋଗୁ ଜଳସେଚନର ସୁବିଧା ପାଇପାରୁଛି ।
ଅପରପକ୍ଷେ, ଆନ୍ଧ୍ରପ୍ରଦେଶ ପକ୍ଷରୁ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ଆନ୍ତଃରାଜ୍ୟ ଜଳବିବାଦ କମିସନ ନିକଟରେ ଗତ ୨୦୦୬ ଫେବ୍ରୁଆରି ମାସରେ ନିଜର ପକ୍ଷ ରଖିଥିଲା । କମିସନ ମଧ୍ୟ ଉଭୟ ରାଜ୍ୟ ୫୦ ପ୍ରତିଶତ ଲେଖାଏଁ ଜଳ ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କାଟ୍ରାଗଡ଼ା ଓ ଗୋଟା ବ୍ୟାରେଜ ନିର୍ମାଣକୁ ତ୍ୱରାନ୍ୱିତ କରାଯାଇଥିଲା । ଅନ୍ୟପକ୍ଷରେ ଓଡ଼ିଶା ପକ୍ଷରୁ ଏପର୍ଯ୍ୟନ୍ତ ବଂଶଧାରା ନଦୀ ଉପରେ କୌଣସି ବ୍ୟାରେଜ ନିର୍ମାଣ କରାଯାଇନାହିଁ । କଳାହାଣ୍ଡିର ନଦୀ ଜଳକୁ ନେଇ ଆନ୍ଧ୍ରପ୍ରଦେଶ ବ୍ୟାରେଜ ର୍ନିର୍ମାଣ କରି ଶସ୍ୟଶ୍ୟାମଳା ହେଉଥିବା ବେଳେ ଓଡ଼ିଶାପଟ ଦୂରଦୃଷ୍ଟି ଅଭାବରୁ ଏପର୍ଯ୍ୟନ୍ତ ବ୍ୟାରେଜ ନିର୍ମାଣ ତ ଦୂରର କଥା ଏନେଇ କୌଣସି ଉଦ୍ୟମ ମଧ୍ୟ ଆରମ୍ଭ ହୋଇନଥିବା ସାଧାରଣରେ ମତ ପ୍ରକାଶ ପାଇଛି । କଳାହାଣ୍ଡିରୁ ଉତ୍ପତ୍ତି ହୋଇଥିବା ନାଗାବଳୀ ଓ ବଂଶଧାରା ନଦୀ ଉପରେ ରାଜ୍ୟ ସରକାର କେବେ ବ୍ୟାରେଜ ନିର୍ମାଣ କରିବେ, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ବୋଲି ସେମାନେ କହିଛନ୍ତି ।
Comments are closed.