ନୂଆଦିଲ୍ଲୀ : ଫିଲିପିନ୍ସରେ ତାଣ୍ଡବ ରଚିଛି ଘୁର୍ଣ୍ଣିଝଡ’ଟ୍ରାମି’। ଫିଲିପିନ୍ସ ଉତ୍ତର ପଶ୍ଚିମାଞ୍ଚଳରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ପରେ ପରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା । ଏହା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ସହିତ ଶତାଧିକ ଜୀବନହାନୀ ଘଟିଛି । ବର୍ତ୍ତମାନ ସୁଦ୍ଧା ଆକଳନ ଅନୁସାରେ ଘୂର୍ଣ୍ଣିଝଡ଼ ଯୋଗୁ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିବା ସୂଚନା ମିଳିଛି ।
ପ୍ରବଳ ବର୍ଷା ପବନ ଯୋଗୁ ଅନେକ ସ୍ଥାନରେ ମାଟି ଅତଡ଼ା ଧସି ଘରଦ୍ଵାର ଭାଙ୍ଗିରୁଜି ଯାଇଛି । ରାସ୍ତାଘାଟରେ ମାଟି ଜମି ବନ୍ଦ ରହିଛି । ଜଳସ୍ତର ବୃଦ୍ଧି ପାଇବାରୁ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି। ଉଦ୍ଧାରକାରୀ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି।
ପ୍ରବଳ ବର୍ଷା ଯୋଗୁ ଅତର୍କିତ ବନ୍ୟା ଆସିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପ୍ରବଳ ବେଗରେ ପବନ ବହିବାରୁ ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି । ଫଳରେ ରାସ୍ତାଘାଟ ଅବରୋଧ ହୋଇରହିଛି । ଚଳିତ ବର୍ଷ ଫିଲିପିନ୍ସରେ ଏହା ୧୧ଶ ଘୂର୍ଣ୍ଣିଝଡ଼। ବର୍ତ୍ତମାନ ସୁଦ୍ଧା ୧୦ଟି ଘୂର୍ଣ୍ଣିଝଡ଼ ହୋଇସାରିଛି, ଯାହା ପ୍ରଭାବରେ ଦେଶବାସୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ।
ଫିଲିପାଇନ୍ସର ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ହେତୁ ଅନେକ ଅଞ୍ଚଳ ପହଞ୍ଚିବା କଷ୍ଟକର ହୋଇପଡିଛି । ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି । ପୋଲିସ, ଅଗ୍ନିଶମ ବାହିନୀ ଏବଂ ସେନା କର୍ମଚାରୀମାନେ ସନ୍ଧାନୀ କୁକୁରଙ୍କ ସାହାଯ୍ୟରେ ଭୂସ୍ଖଳନର ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଖୋଜାଖୋଜି ଜାରି ରହିଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଘର ଛାଡି ସୁରକ୍ଷତି ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଟ୍ରାମି ଯୋଗୁଁ ପ୍ରବଳ ବର୍ଷା ହେବା ସହିତ ବଡ ବଡ ଗଛ ଉପୁଜିଛି ।
ଶୁକ୍ରବାର ଉତ୍ତର-ପଶ୍ଚିମ ଦିଗରୁ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ଫିଲିପାଇନ୍ସରେ ମାଡ଼ ହୋଇଥିଲା । ଫଳରେ ପୂରା ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଘୂର୍ଣ୍ଣିଝଡ଼ ଯୋଗୁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଘୂର୍ଣ୍ଣିଝଡ଼ ଯୋଗୁ ୫ ଲକ୍ଷ ଲୋକ ସହର ଛାଡି ପଳାୟନ କରିଛନ୍ତି ।

Comments are closed.