ମୟୁରଭଞ୍ଜ : ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଭୟଙ୍କର ଦୁର୍ଘଟଣା । ଏକ କାର ଉପରେ ଯାତ୍ରୀବାହୀ ବସ ଓଲଟିପଡିଛି । କାରଟି ବସ ତଳେ ସମ୍ପୂର୍ଣ୍ଣ ଚାପି ହୋଇ ରହିଥିବାର ଦେଖାଯାଇଛି । ଏହି ଦୁର୍ଘଟଣାରେ ୨ ଜଣ କାର ଯାତ୍ରୀଙ୍କ ସହ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଖବରରୁ ଜଣାପଡିଛି ବିଶୋଇ ପଟୁ ବାଙ୍ଗିରିପୋଷି ଆଡ଼କୁ’ଶ୍ରୀ ଗଣେଶ’ନାମକ ଘରୋଇ ବସ୍ଆସୁଥିଲା । ଘାଟିରୁ ଓହ୍ଲାଇବା ବେଳେ ଏକ କଳା ରଙ୍ଗର କାର୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା ବସ୍ । ଓଭରଟେକ୍ ବେଳେ ବସ୍ଟି ଏକ ପଥରରେ ଧକ୍କା ହୋଇ ସିଧା କାର୍ ଉପରେ ଓଲଟି ପଡ଼ିଥିଲା । ତେବେ ବାଙ୍ଗିରିପୋଷି ଘାଟିରେ ମରାମତି କାର୍ଯ୍ୟ ଚାଲୁଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ମ।ନ ଘଟୁଥିବା ସୂଚନା ମିଳିଛି । ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଭାରି ଯାନ ପ୍ରବେଶ ଉପରେ କଟକଣା ରହିଛି ।
