ଅହମ୍ମଦାବାଦ: ଗୁଜୁରାଟ ସରକାରଙ୍କୁ ବଦନାମ ପାଇଁ ତିସ୍ତା ସିତଲୱାଡ଼ ଷଡ଼ଯନ୍ତ୍ର କରିଥିଲେ । ଏମିତିକି ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ତିସ୍ତା ଏବେକାର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଥ୍ୟା ପ୍ରମାଣପତ୍ର ଯୋଗାଡ଼ କରି ତାଙ୍କୁ ଫାଶି ଦଣ୍ଡାଦେଶ ପାଇଁ ଷଡଯନ୍ତ୍ର ତିଆରି କରିଥିଲେ । ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଏସଆଇଟି ।
ଗୁଜରାଟ ଗୋଧ୍ରା ଦଙ୍ଗା ମାମାଲାରେ ତଦନ୍ତ କରୁଥିବା ଏସଆଇଟିର ଏମିତି ଆଚମ୍ବିତ ତଥ୍ୟକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ଗୋଧ୍ରା ଦଙ୍ଗା ମାମଲାରେ ଲଢ଼ୁଥିବା ସାମାଜିକ କର୍ମୀ ତିସ୍ତାଙ୍କୁ ଗତ କିଛି ଦିନ ପୂର୍ବେ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ଗୋଧ୍ରା ଦଙ୍ଗା ମାମଲାରେ ନିର୍ଦ୍ଦୋଶ ଲୋକଙ୍କୁ ଫସାଇବା ଲାଗି ଷଡ଼ଯନ୍ତ୍ର କରିବା ଅଭିଯୋଗରେ ତିସ୍ତାଙ୍କୁ ଗିରଫ କରାଯାଇଥିଲା । ତିସ୍ତା, ଗୁଜରାଟ ପୂର୍ବତନ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର, ପୂର୍ବତନ ଭାରତୀୟ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟଙ୍କ ବିରୋଧରେ ଅହମ୍ମଦାବାଦ ମେଟ୍ରୋ କୋର୍ଟରେ ଏସଆଇଟି ୧୦୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି ।
ଏସଆଇଟିର କହିବା ଅନୁଯାୟୀ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ମୃତ୍ୟୁଦଣ୍ଡ ପାଇବା ପାଇଁ ଷଡଯନ୍ତ୍ର ରଚିଥିଲେ ତିସ୍ତା । ସେହିପରି ସରକାରଙ୍କର ଏକ ଅଂଶ ହୋଇ ମଧ୍ୟ ଆରବି ଶ୍ରୀକୁମାର ଏବଂ ସଞ୍ଜୀବ ଭଟ୍ଟ ତିସ୍ତାଙ୍କ ପାଇଁ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ । ଏହି ତଥ୍ୟକୁ ସରକାରୀ ଏଣ୍ଟ୍ରିରେ ଯୋଡିଥିଲେ ବୋଲି ଏଥିରେ କୁହାଯାଇଛି । ଅଭିଯୁକ୍ତ ତିସ୍ତା ଓ ଅନ୍ୟମାନେ ମୋଦିଙ୍କର ରାଜନୈତି କ୍ୟାରିଅର ନଷ୍ଠ ପାଇଁ ଉଦ୍ୟମ କରଥିଲେ ।
ମୋଦିଙ୍କ ସମ୍ମାନ କ୍ଷୁର୍ଣ୍ଣ ପାଇଁ ମଧ୍ୟ ଭରପୂର ପ୍ରୟାସ କରାଯାଇଥିଲା । ଏଥିପାଇଁ ଏକାଧିକ ନାମିଦାମି ଓକଲିଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ସେମାନଙ୍କ ଲାଗ ନକଲି ଦସ୍ତାବିଜ ଓ ନକଲି ସତ୍ୟପାଠ ଯୋଗାଡ଼ କରାଯାଇଥିଲା । ଏ ସବୁ ଡକ୍ୟୁମେଣ୍ଟ ଇଂରାଜୀରେ ହୋଇଥିବାରୁ ପୀଡିତମାନେ ବୁଝିପାରି ନଥିଲେ । ଫଳରେ ଦଙ୍ଗା ପୀଡ଼ିତମାନଙ୍କୁ ବଳପୂର୍ବକ ଭାବେ ଚାପ ସୃଷ୍ଟି କରି ସେମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିଲା । ସେମାନଙ୍କୁ ଧମକାଇ ବୟାନ ରେକର୍ଡ଼ କରାଯାଇଥିଲା ।
ଯଦି ସେମାନେ ସିତଲୱାଡ଼ଙ୍କୁ ସମର୍ଥନ ନକରନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା । ସୂଚନା ଅନୁଯାୟୀ, ୨୦୦୨ରେ ଗୁଜରାଟରେ ବଡ଼ ଧରଣର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ଦଙ୍ଗା ସମୟରେ ଅହମଦାବାଦର ଗୁଲ୍ୱର୍ଗା ସୋସାଇଟିରେ ଏହସାନ ଜାଫ୍ରିଙ୍କ ସମେତ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୬ରେ ଜାକିଆ ଜାଫ୍ରି ଏନେଇ ମାମଲା ରୁଜୁ କରିଥିଲେ । ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ସେ ଦାବି କରିଥିଲେ । ୨୦୧୧ରେ ଏହି ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଥିଲା ।

Comments are closed.