ଅନୁଗୁଳ : କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହେଲେ IIC ଶିବ ପ୍ରସାଦ ଭଦ୍ର । ବେଆଇନ୍ ଭାବେ ଜଣେ ବ୍ୟକ୍ତିଙ୍କୁ ତଥାନରେ ଅଟକ ରଖି ନିର୍ଯାତନା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିପି ।
ତଦନ୍ତ କରିବା ଆଳରେ ଜଣେ ବ୍ୟକ୍ତିଙ୍କୁ ୨ ଦିନ ଧରି ବେଆଇନ ଅଟକ ରଖିବା ଓ ମାନସିକ ଚାପରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହେବାକୁ ପଡିଥିଲା । ଏହି ଘଟଣାରେ ପରିବାର ଲୋକେ ଡିଜିପିଙ୍କୁ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଟାଙ୍ଗୀ ଥାନା ଆଇଆଇସିଙ୍କୁ ନିଲମ୍ୱନ କରାଯାଇଛି।
ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗ୍ରାମର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହେବା ପରେ ଟାଙ୍ଗୀ ପୋଲିସ ଗତ ୨୧ ତାରିଖରେ ତାଙ୍କୁ ଘରୁ ଉଠାଇ ଆଣିଥିଲା । ଥାନାରେ ଦୁଇ ଦିନ ରଖିବା ପରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଛି। ମାତ୍ର ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା କାରଣରୁ ସେ ଅସୁସ୍ଥ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
