ମୁମ୍ବାଇ: ସର୍ବଶ୍ରେଷ୍ଠ ଡ୍ରାମା ସିରିଜ୍ ପାଇଁ ଅନ୍ତର୍ରାଷ୍ଟ୍ରୀୟ ‘ଏମି ଆୱାର୍ଡ’ରେ ନାମାଙ୍କନ ସହିତ ଭାରତର ଅନ୍ୟତମ ମନୋରଞ୍ଜନକାରୀ ଥ୍ରୀଲର ‘ଆର୍ଯ୍ୟା’ ତା’ର ସିଜନ ୨ ସହିତ ଡିଜିଟାଲ ସ୍ପେସ୍ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଛି । ‘ଆର୍ଯ୍ୟା’ର ପ୍ରଥମ ସିଜନ ହିଟ୍ ହେବା ପରେ ଏହାର ଦ୍ୱିତୀୟ ସଂସ୍କରଣକୁ ଅତି ଉତ୍ସାହର ସହ ପ୍ରଶଂସକମାନେ ପ୍ରତୀକ୍ଷା କରିଛନ୍ତି । ଆର୍ଯ୍ୟା ସିରିଜର ନିଆରା ଉପସ୍ଥାପନା କେବଳ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିନଥିଲା ବରଂ ସିନେସମୀକ୍ଷକ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ।
ଖାସ୍ କରି ସୁସ୍ମିତା ସେନ୍ଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଡିଜ୍ନୀ ହଟ୍ଷ୍ଟାର, ଏଣ୍ଡେମୋଲ୍ ସାଇନ୍ ଇଣ୍ଡିଆ ଏବଂ ରାମ ମାଧବାନୀ ‘ଆର୍ଯ୍ୟା-୨’କୁ ପ୍ରସ୍ତୁତ କରିଛନ୍ତି । ଏହା କେବଳ ଡିଜନୀ ପ୍ଲସ୍ ହଟ୍ଷ୍ଟାରରେ ୧୦ ଡିସେମ୍ବରରେ ଉପଲବ୍ଧ ହେବ । ତେବେ ଆର୍ଯ୍ୟା-୨ର ରିଲିଜ୍ ପୂର୍ବରୁ ମୁଖ୍ୟ ଅଭିନେତ୍ରୀ ସୁସ୍ମିତା ସେନ ମହାମାରୀ ମଧ୍ୟରେ ଶୋର ସୁଟିଂକୁ ନେଇ ନିଜର ଅନୁଭବ ସମ୍ପର୍କରେ କହିଛନ୍ତି ।
ସୁସ୍ମିତା କହିଛନ୍ତି ଯେ, ସେମାନେ ସମସ୍ତେ ଲକଡାଉନ ସ୍ପେଶାଲିଟି ପାଲଟିଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଲକଡାଉନ ବେଳେ ହିଁ ତାଙ୍କର ଶୋ ରିଲିଜ୍ ହେଉଛି ନଚେତ୍ ଏହି ସମୟରେ ସୁଟିଂ କରୁଛନ୍ତି । ତେବେ ଏହାକୁ ନେଇ ସେ ଭାଗ୍ୟଶାଳୀ ବୋଲି କହିଛନ୍ତି । କାରଣ ଲୋକମାନେ କାମ ନପାଇ ଘରେ ବସିଥିବା ବେଳେ ଆର୍ଯ୍ୟା ଟିମ୍ ବହୁତ ପରିଶ୍ରମ କରିଛନ୍ତି, ଯାହାର ଭଲ ପରିଣାମ ମିଳିଛି । ଏଥିସହ କୋଭିଡ୍ ମହାମାରୀ ସମୟରେ ସମସ୍ତ କ୍ରୁ ମେମ୍ବର ନିୟମ ପାଳନ କରିଥିବା ସୁସ୍ମିତା କହିଛନ୍ତି ।
ସୂଚନା ଅନୁଯାୟୀ ‘ଆର୍ଯ୍ୟା’ ସୁଟିଂ ସେଟ୍ରେ କ୍ରୁ ମେମ୍ବରମାନେ ୧୦ ଘଣ୍ଟା ପର୍ଯ୍ୟନ୍ତ ପିପିଇ କିଟ୍ ପିନ୍ଧି କାମ କରୁଥିଲେ । ସବୁବେଳେ କୋଭିଡ୍ ଟେଷ୍ଟିଂ କରାଯାଉଥିଲା । ସେପଟେ ଲକଡାଉନ ସମୟରେ କାମ କରିବା ଆଶ୍ଚର୍ଯ୍ୟଜନକ ଥିଲା ବୋଲି ରାମ ମାଧବାନୀ କହିଛନ୍ତି । ଦ୍ୱିତୀୟ ସିଜନରେ ସୁସ୍ମିତା ସେନ୍ ଆର୍ଯ୍ୟ ସରିନଙ୍କ ଭୂମିକାକୁ ପୁନରାବୃତ୍ତି କରୁଥିବା ନଜର ଆସିବେ ।
ତାଙ୍କ ସହ ସିକନ୍ଦର ଖେର, ବିକାଶ କୁମାର, ମାୟୋ ସାରାଓ, ଅଙ୍କୁର୍ ଭାଟିଆ, ଆଖାଶ ଖୁରାନା ମଧ୍ୟ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।
Comments are closed.