ଦିଲ୍ଲୀ: ମେ ୨୧: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଲଗାଇଛନ୍ତି । ତେବେ ସୁପ୍ରିମ କୋର୍ଟ ତିନି ମାସ ପର୍ଯ୍ୟନ୍ତ ରହିତାଦେଶ ଲଗାଇଥିବା ସୂଚନା ରହିଛି । ଏଥିସହିତ ସର୍ବୋଚ୍ଚ ଅଦାଲତ ଓଡ଼ିଶାର ଆଡଭୋକେଟ୍ ଜେନେରାଲଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମାମଲାର ଶୁଣାଣି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦୁଲ ନଜିର ଓ ଜଷ୍ଟିସ୍ କେ ମୁରାରୀଙ୍କ ଖଣ୍ଡପୀଠରେ ହୋଇଥିଲା ।ହାଇକୋର୍ଟ ଜାନୁଆରି ୨୪, ୨୦୨୨ରେ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ରାୟରେ ଓଡ଼ିଶା ହାଇକୋର୍ଟ କହିଥିଲେ ଯେ, ୟୁଜିସି ରେଗୁଲେସନ, ୨୦୧୮ର ସଂଶୋଧିତ ଅଧିନିୟମ ଓଭରଲାପିଂ ହୋଇନାହିଁ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।
ଅନ୍ୟପକ୍ଷରେ, ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଏସ୍ଏଲ୍ପି ଦାଖଲ କରିଥିଲେ ।
ୟୁଜିସି ପକ୍ଷରୁ ଭାରତର ସଲିସିର୍ଟି ଜେନେରାଲ ତୁଷାର ମେହେଟା, ପ୍ରଫେସର ମହାନ୍ତିଙ୍କ ପକ୍ଷରୁ ଆଡଭୋକେଟ୍ ଅନ ରେକର୍ଡ ଜସମିତ ସିଂହ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଆଜିର ଶୁଣାଣିରେ ପକ୍ଷ ଉପସ୍ଥାପନ କରିଥିଲେ । ଆବେଦନକାରୀମାନଙ୍କ ପକ୍ଷରୁ କୁହାଯାଇଥିଲା, ଯେ ୟୁଜିସିର ୨୦୧୮ ରେଗୁଲେସନ ନୂତନ ନିୟମ ପ୍ରଣୟନ କରିବାର ଅଧିକାର ରାଜ୍ୟ ସରକାର କିମ୍ବା ବିଶ୍ୱବିଦ୍ୟାଳୟକୁ ଦିଆଯାଇନାହିଁ । ୟୁଜିସିର ୨୦୧୮ ରେଗୁଲେସନକୁ ରାଜ୍ୟମାନେ ଆପଣାଇବାକୁ ବାଧ୍ୟ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ ୟୁଜିସି ଆଇନର ପରିପନ୍ଥୀ । ସଂଶୋଧିତ ଆଇନ ଜରିଆରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରୁଛନ୍ତି ।
ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତି, ପ୍ରଫେସରମାନଙ୍କ ନିଯୁକ୍ତିର ଯୋଗ୍ୟତା, ଅତିରିକ୍ତ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ଯୁଜିସି ମାନଦଣ୍ଡକୁ ଅଣଦେଖା କରି ଯଦି ରାଜ୍ୟ ସରକାର ନିଯୁକ୍ତି ନିଷ୍ପତ୍ତି ନେବେ, ତାହାହେଲେ ଦେଶରେ ଅରାଜକତା ହେବ । ସମଗ୍ର ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଘୋର ସମସ୍ୟା ସୃଷ୍ଟି ହେବ ବୋଲି ସେମାନେ ଯୁକ୍ତି ଉପସ୍ଥାପନ କରିଥିଲେ ।

Comments are closed.