ଭୁବନେଶ୍ୱର : ରାଜ୍ୟ ସରକାର ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସୁଭଦ୍ରା ଯୋଜନା ନେଇ ଲୋକଙ୍କୁ ସଚେତନ କରିବାକୁ ରାଜ୍ୟରେ ବୁଲିବ ସୁଭଦ୍ରା ରଥ । ସେପ୍ଟେମ୍ବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବ । ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଳକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ସଚେତନତା ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ, ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ସୁଭଦ୍ରା ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ କୁହାଯାଇଛି ସବୁ କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ସୂଚନା ପ୍ରଚାରପତ୍ର ଉପଲବ୍ଧ ହେବା ସହିତ ପୋଷ୍ଟର, ବ୍ୟାନର ଲଗାଯିବ ।
କେନ୍ଦ୍ରଗୁଡ଼ିକ ଯେପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ଅତ୍ୟଧିକ ଜନଗହଳି ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କୌଣସି ଅପରେଟରମାନଙ୍କୁ ଫର୍ମ ଦାଖଲ ପାଇଁ ଆବେଦନକାରୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ । ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନର ଶୁଭାରମ୍ଭ କରିବେ ପିଏମ ମୋଦି । ବର୍ତ୍ତମାନ ସୁଦ୍ଧା କେତେ ଫର୍ମ ବିତରଣ କରାଯାଇଛି, କେତେ ପୋର୍ଟାଲରେ ଅପଲୋଡ୍ କରାଯାଇଛି, ତାହାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ।

Comments are closed.