ଭୁବନେଶ୍ୱର : ପ୍ରଥମ ଥର ପାଇଁ ବିଦେଶ ମାଟିରେ ବସିଲା ରାଜ୍ୟ କ୍ୟାବିନେଟ ବୈଠକ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଡିଜିଟାଲ ଗଭର୍ଣ୍ଣାନ୍ସରେ ଡିଜିଟାଲ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ଜାପାନ ଗସ୍ତରେ ଥିବା ସମୟରେ ସେଠାରୁ ଭର୍ଚୁଆଲ ମୋଡ଼ରେ କ୍ୟାବିନେଟ୍ ବୈଠକରେ ଯୋଗଦେଇଥିଲେ।
ଓଡିଶାଠାରୁ ୬ ହଜାର କିଲୋମିଟର ଦୂରରେ ଜାପାନର କ୍ୟୋଟୋଠାରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ କ୍ୟାବିନେଟ ବୈଠକ ପରିଚାଳନା କରିଥିବା ବେଳେ ଜାପାନରେ ଥିବା ମୁଖ୍ୟ ଶାସନ ସଚିବ,ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ ପ୍ରମୁଖ ମଧ୍ୟ ଡିଜିଟାଲ ମାଧ୍ୟମରେ ଯୋଡି ହୋଇଥିଲେ। ଏଥି ସହିତ ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ଓ ସଚିବ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
ରାଜ୍ୟ କ୍ୟାବିନେଟ ବୈଠକରେ ଜାପାନର ଟୋକିଓରୁ ଭର୍ଚୁଆଲରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶାସନ ବ୍ୟବସ୍ଥାର ଫଳପ୍ରଦତା ତଥା ଜନସେବା ପ୍ରଦାନରେ ଆମର ୫-ଟି ଚାର୍ଟାର ଅଂଶ ଭାବରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାରେ ଆମେ ଅଗ୍ରଣୀ ଅଟୁ।
ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ପ୍ରସ୍ତାବ ମଧ୍ୟରେ FPO ପାଇଁ ସହାୟତା ପାଣ୍ଠି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ସେହିପରି ଦେଓଗାଁ, ତୁରେଇକେଲା ଓ ମୁରିବାହଲରେ ହେବ ପ୍ରକଳ୍ପ । ଅନ୍ୟପଟେ ଷୋଡ଼ଶ ଓଡ଼ିଶା ବିଧାନସଭାର ଦ୍ବାଦଶ ଅଧିବେଶନର ସତ୍ରାବସାନକୁ ମୋହର ପ୍ରଦାନ କରାଯାଇଛି।
ଏହାଛଡା ରାଜ୍ୟରେ ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଅନୁମୋଦିତ ହୋଇଛି। ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି। ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପ୍ରକଳ୍ପ ।କୋରାପୁଟ, ନବରଂଗପୁର, ବଲାଙ୍ଗୀର କଟକରେ ପାଇପ୍ ଜଳ ପ୍ରକଳ୍ପ ହେବ। ପିଏଫ୍ଓ ସହାୟତା ପାଇଁ ପାଣ୍ଠି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାଛଡ଼ା ‘ଓଡ଼ିଶା ପରିବାର’ ନାମରେ ଏକ ନୂଆ ନିର୍ଦେଶାଳୟ ଖୋଲାଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Comments are closed.