ଆସନ୍ତା ୨୭ରେ ସ୍ବତନ୍ତ୍ର OTET ,୧୭ ରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ

କଟକ : ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

ଏଥି ସହିତ ୧୭ ସେପ୍ଟେମ୍ବରରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ବୋର୍ଡ ୱେବସାଇଟ www.bseodisha.ac.in ରେ ସେପ୍ଟେମ୍ବର ୧୭ ରୁ ଆଡମିଟ୍ କାର୍ଡ ପରିକ୍ଷାର୍ଥୀମାନେ ଡାଉନଲୋଡ କରିପାରିବେ।

ସୂଚନାଯୋଗ୍ୟ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ କରାଯାଇଥିଲା। ଏହାପରେ ତରବରିଆ ଭାବେ ପୁଣିଥିରେ ଅଗଷ୍ଟ ୩୧ରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ନେଇ ଘୋଷଣା ହୋଇଥିଲା। ଏହାପରେ ପୁଣିଥରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେବେ ଚଳିତ ଓଟିଇଟି ପରୀକ୍ଷା ନୂଆ ଢଙ୍ଗରେ ହେବ । କେନ୍ଦ୍ରୀୟ ଢାଞ୍ଚାରେ ହେବ ପରୀକ୍ଷା ପରିଚାଳନା। ବୋର୍ଡ ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ର ଯାଏ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ମଧ୍ୟରେ ଯିବ। ଡିଜି ଲକର, ବକ୍ସ ଏବଂ ଟ୍ରଙ୍କରେ ପ୍ରଶ୍ନପତ୍ରକୁ ପୁଲିସ ଏବଂ ପ୍ରଶାସନ ଅଧିକାରୀମାନେ ସୁରକ୍ଷା ବଳୟ ମଧ୍ୟରେ ନେବେ। ସେଠାରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଜିଲାପାଳଙ୍କ ତତ୍ତ୍ବାବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଶେଷ ହେବା ପରେ ପୁଲିସ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ସହ ଉତ୍ତରଖାତା ନୋଡାଲ ସେଣ୍ଟରକୁ ଆଣିବ । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ । ପରୀକ୍ଷା ଶେଷ ହେବାର ଏକ ମାସ ମଧ୍ୟରେ ଫଳ ପ୍ରକାଶ ପାଇବ। ତେବେ ନୂତନ ସଂସ୍ଥାକୁ ପ୍ରଶ୍ନପତ୍ର ମୁଦ୍ରଣ ଦାୟିତ୍ବ ଦିଆଯାଇଥିବାବେଳେ ପରୀକ୍ଷା ପରିଚାଳନା ନିମନ୍ତେ ବୋର୍ଡର ଏକ ନୂତନ ଟିମ୍‌ ଗଠନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।

Launching Ceremony of “AYUSHMAN BHARAT

Comments are closed.