ରାଉରକେଲା: ସେପ୍ଟେମ୍ବର ୨୦: ରାଉରକେଲାରେ ସ୍ୱତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରାଯିବ । ରାଜ୍ୟ ଶକ୍ତି, ଶିଳ୍ପ, ଏମଏସଏମଇ, ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର ମହାନଗର ନିଗମ ସମ୍ମିଳନୀର କକ୍ଷରେ ଅନୁଷ୍ଠିତ ବିଦୁ୍ୟତ ଏବଂ ଶିଳ୍ପର ବିକାଶ ଉପରେ ସମୀକ୍ଷା ବୈଠକରେ ଯୋଗ ଦେଇ ଏହା କହିଛନ୍ତି । ବୈଠକରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲା ପାଳ ତଥା ମହାନଗର ନିଗମ ଆୟୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
ଗୃହ ମନ୍ତ୍ରୀ ମିଶ୍ର ରାଉରକେଲା ସହରରେ କିପରି ବିଦୁ୍ୟତ ସରବରାହ ସଠିକ ଭାବରେ ସମସ୍ତଙ୍କ ପାଖକୁ ପହଞ୍ଚି ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଘରୋଇ, ବ୍ୟବସାୟିକ ତଥା ଶିଳ୍ପର ବ୍ୟବହାର ପାଇଁ ବିଦୁ୍ୟତ ସେବା କିପରି ଉନ୍ନତ ମାନର ହୋଇ ପାରିବ ସେଥି ପାଇଁ ସ୍ୱତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରିବାକୁ ସଂପ୍ରକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କୁ ଯଥା ସମୟ ମଧ୍ୟରେ ଜାଗା ଚିହ୍ନଟ କରିବାକୁ କହିଥିଲେ । ଏହାଛଡା ବଣାଇଁ, ଗୁରୁଣ୍ଡିଝାଟିଆ ବ୍ଲକ ଗୁଡିକରେ ବିଜୁଳିର ହେଉଥବା ସମସ୍ୟା ଉପରେ ବିଧାୟକ ସାରଦା ପ୍ରସାଦ ନାୟକ ଅବଗତ କରାଇଥିଲେ । ମିଶ୍ର ଏହାର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିଦ୍ୟୁତ ବିଭାଗ, ଶିଳ୍ପ ଓ ଇଡକୋ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ କ୍ୟାପଟେନ ମିଶ୍ର ର୍ବିସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମକୁ ମଧ୍ୟ ପରିଦର୍ଶନ କରି ଏବଂ ଷ୍ଟାଡ଼ିୟମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ ଏଡିଏମ (ରାଉରକେଲା) ଦିବ୍ୟଜ୍ୟୋତି ପରିଡ଼ା, ଇଡକୋର ଡିଭିଜନାଲ ପ୍ରମୁଖ ବିଜୟ କୁମାର ମହାନ୍ତି, ଏଲଏଣ୍ଡଟିର ପ୍ରୋଜେକଫ ମ୍ୟାନେଜର ଏସ କେ ନାରାୟଣ ଏବଂ ଡିଜାଇନ ଟିମ ଉପସ୍ଥିତ ଥିଲେ ।
Comments are closed.