ହାଇଦ୍ରାବାଦ : ଦକ୍ଷିଣ ସିନେମା ଜଗତର ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣ ଘଟ୍ଟାମାନେନୀଙ୍କ ଦେହାନ୍ତ I ସୋମବାର ବିଳମ୍ବିତ ରାତିରେ ହୃଦଘାତର ଶିକାର ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା I
ସୂଚନାନୁସାରେ ସୋମବାର ବିଳମ୍ବିତ ରାତି ୧ଟା ୧୫ ମିନିଟରେ ମହେଶ ବାବୁଙ୍କର ପିତା କୃଷ୍ଣଙ୍କୁ ଆଟାକ୍ ଆସିଥିଲା , ଏହା ପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ୨୦ ମିନିଟ୍ ଧରି ସିପିଆର ଦେଇଥିଲେ। ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ସିଫ୍ଟ କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ମଙ୍ଗଳବାର ଭୋର ୪ ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I ତାଙ୍କ ଦେହାନ୍ତ ଖବର ପାଇ ପୂରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୨୮ ରେ ମହେଶ ଙ୍କର ମା’ଇନ୍ଦିରା ଦେବୀଙ୍କର ମଧ୍ୟ ପରଲୋକ ଘଟିଥିଲା I ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସମାନେ ବି ଦୁଃଖିତ ହୋଇପଡ଼ିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟମାନେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ମହେଶ ବାବୁ ଙ୍କ ପିତା କୃଷ୍ଣ ଘଟ୍ଟାମାନେନୀ ମଧ୍ୟ ଦକ୍ଷିଣ ଚଳଚ୍ଚିତ୍ର ଶିଳ୍ପରେ ଜଣେ ଜଣାଶୁଣା ଅଭିନେତା ଥିଲେ। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ୫୦ ବର୍ଷ ଯୋଗଦାନ ରହିଛି । ନିଜ କ୍ୟାରିୟରରେ ପ୍ରାୟ ୩୫୦ ଫିଲ୍ମରେ କାମ କରିଥିଲେ I ତାଙ୍କ ସମୟରେ ସେ ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତା ଥିଲେ। ୨୦୦୯ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।
କୃଷ୍ଣ ଅଳ୍ପ କିଛିଦିନ ପାଇଁ ରାଜନୀତିରେ ମଧ୍ୟ ପାଦ ଥାପିଥିଲେ I ସେ କଂଗ୍ରେସ ରେ ଯୋଗ ଦେଇ ୧୯୮୦ରେ ସେ ସାଂସଦ ବନିଥିଲେ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ସେ ରାଜନୀତିରୁ ସନ୍ୟାସ ନେଇଥିଲେ।

Comments are closed.