ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବଂ ହୁମା କୁରେଶୀଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡବଲ୍ ଏକ୍ସଏଲ୍’ର ଘୋଷଣା ପରଠୁ ହିଁ ଚର୍ଚ୍ଚାରେ ରହିଛି । ତେବେ ଫିଲ୍ମର ନିଆରା ନାମକୁ ନେଇ ମଧ୍ୟ ଉଭୟ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲା । ହେଲେ ନିକଟରେ ଫିଲ୍ମର ରିଲିଜ୍ ହୋଇଥିବା ଟିଜର ଦର୍ଶକଙ୍କ ମନରେ ଥିବା ନାମକୁ ନେଇ ଦ୍ୱନ୍ଦକୁ ସମାପ୍ତ କରିଛି ।

ଏହି ଫିଲ୍ମ ସମାଜରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବଡି େୱଟ୍ ଷ୍ଟେରିଓଟାଇପ ଅର୍ଥାତ୍ ମୋଟାପଣକୁ ନେଇ ଥିବା ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇଛି, ଯାହାକୁ କମେଡି ଆକାରରେ ଚିତ୍ରଣ କରାଯାଇଛି । ଏହି ‘ସ୍ଲାଇସ୍ ଅଫ୍ ଲାଇଫ୍’ ସୋସିଆଲ କମେଡି ଫିଲ୍ମକୁ ସତରାମ ରମାନୀ ନିର୍ଦ୍ଦେଶନା ଦେଇଛନ୍ତି । ହୁମା ଏବଂ ସୋନାକ୍ଷୀଙ୍କ ଏହି ଫିଲ୍ମର ସୁଟିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି । ଫିଲ୍ମର ସୁଟିଂ ଲଣ୍ଡନ ଏବଂ ନୂଆଦିଲ୍ଲୀରେ କରାଯାଇଛି ।

ଅଜବ ଗଜବ ନାମ ଥିବା ଫିଲ୍ମର କାହାଣୀ ଦୁଇ ପ୍ଲସ୍ ସାଇଜ୍ ମହିଳାଙ୍କ ଉପରେ ଆଧାରିତ ହୋଇଛି । ଜଣେ ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଦିଲ୍ଲୀର ଗ୍ଲାମରସ୍ ଦୁନିଆରୁ ଆସିଛି । ସେମାନେ ଏପରି ଏକ ସମାଜ ସହିତ ଲଢେଇ କରୁଛନ୍ତି, ଯେଉଁଠାରେ ଜଣେ ମହିଳାଙ୍କ ସୌନ୍ଦର୍ଯ୍ୟ ଏବଂ ଆକର୍ଷଣ ତାଙ୍କର ସାଇଜ୍ ଉପରେ ନିର୍ଭର କରୁଛି । ନିଆରା କାହାଣୀକୁ ନେଇ ପର୍ଯ୍ୟବେସିତ ଫିଲ୍ମର ଟିଜରକୁ ସିନେପ୍ରେମୀମାନେ ଖୁବ ପସନ୍ଦ କରିଛନ୍ତି । ଟିଜରରେ ଦେଖିବାକୁ ମିଳିଛି ଯେ ଯେପରି ହୁମା ଏବଂ ସୋନାକ୍ଷୀ ନିଜର ରିୟଲ ଲାଇଫକୁ ଏହି ଫିଲ୍ମ ଜରିଆରେ ଦର୍ଶାଇଛନ୍ତି ।

ବାସ୍ତବରେ, ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଉଭୟ ଅଭିନେତ୍ରୀ ନିଜର ଓଜନ କମାଇଛନ୍ତି । ତେବେ ଫିଲ୍ମର କାହାଣୀକୁ କଳ୍ପନା କରିଛନ୍ତି ମୁଦରସର ଅଜିଜ । ହୁମା ଏବଂ ସୋନାକ୍ଷୀଙ୍କ ବ୍ୟତୀତ ଜହିର ଇକବାଲ ଏବଂ ତାମିଲ ହିରୋ ମହତ ରାଘବେନ୍ଦ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ଜହିରଙ୍କୁ ଏହା ପୂର୍ବରୁ ଫିଲ୍ମ ନୋଟ୍ବୁକ୍ରେ ଦେଖିବାକୁ ମିଳିଥିଲା । ରାଘବେନ୍ଦ୍ର ଏହି ଫିଲ୍ମ ଜରିଆରେ ହିନ୍ଦୀ ସିନେମାର ପାଦ ରଖିବାକୁ ଯାଉଛନ୍ତି । ୨୦୨୨ରେ ଗ୍ରୀଷ୍ମଦିନେ ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ତେବେ ହୁମା କୁରେଶୀଙ୍କ ପ୍ରଡକ୍ସନ ହାଉସ୍ରେ ନିର୍ମିତ ଏହା ପ୍ରଥମ ଫିଲ୍ମ ।

Comments are closed.