ଅନେକ ସମୟରେ ଦୃଷ୍ଟି ଶକ୍ତି ହରାଇଥିବା ଲୋକଙ୍କୁ କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ । ସେମାନଙ୍କୁ ସର୍ବଦା ଅନ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ତେବେ ଅନେକ ଉପକରଣ ଏଭଳି ଅଛି, ଯାହା ସେମାନଙ୍କୁ ଅନ୍ୟ ଉପରେ ନିର୍ଭର କରିବାରୁ ମୁକ୍ତି କରିଥାଏ । ଜର୍ମାନୀର ଟେକ୍ନିକାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେହିଭଳି ଏକ ଉପକରଣ ନିର୍ମାଣ କରାଯାଇଛି ଯାହା ଦୃଷ୍ଟିବାଧିତ ଲୋକଙ୍କୁ ଭାଇବ୍ରେସନ୍ ଜରିଆରେ ସାହାଯ୍ୟ କରିବ । ଦୃଷ୍ଟିବାଧିତ ସହିତ ଯେଉଁମାନଙ୍କୁ କମ ଦେଖାଯାଉଛି ସେମାନଙ୍କୁ ଏହା ସାହାଯ୍ୟ କରିବ । ଏହି ଡିଭାଇସ୍ଟି ର ଦୁଇଟି ମେସିନ୍ ରହିଛି, ଗୋଟିଏ ଏକ ଚଷମା ହୋଇଥିବା ବେଳେ ଅନ୍ୟଟି ହାତରେ ବନ୍ଧାଯିବ । ଦୁଇଟି ଆଇଆର୍ କ୍ୟାମେରାକୁ ଗୋଟିଏ ଚଷମା ସହିତ ସଂଯୋଗ କରାଯାଇଛି । ଏହି କ୍ୟାମେରା ଦ୍ୱାରା ଚାରିପାଖର ଫଟୋ ଉତ୍ତୋଳନ କରାଯାଇଥାଏ । ଫଟୋ ଉତ୍ତୋଳନ ପରେ ସମସ୍ତ ତଥ୍ୟକୁ ଚଷମାଟି ବ୍ୟକ୍ତିଙ୍କର ହାତରେ ଲାଗିଥିବା ଡିଭାଇସ୍କୁ ପଠାଇବ । ଏହାପରେ ହାତରେ ଲାଗିଥିବା ଡିଭାଇସ୍ ବାଟରେ ଥିବା ସାମଗ୍ରୀର ବ୍ୟବଧାନ ବିଷୟରେ ଆକଳନ କରିବ । ଯେତେବେଳେ ବ୍ୟକ୍ତିଜଣଙ୍କ ରାସ୍ତାରେ ଥିବା କୌଣସି ସାମଗ୍ରୀର ଆଖପାଖରେ ପହଞ୍ଚିବେ ସେତେବେଳେ ଏକ ଭାଇବ୍ରେସନ୍ର ସହାୟତାରେ ବ୍ୟକ୍ତିଙ୍କୁ ଏନେଇ ସଚେତନ କରାଯିବ । ଡିଭାଇସ୍ଟି ପ୍ରାୟ ୯୮ ପ୍ରତିଶତ ସଠିକ୍ କାମ କରୁଛି ବୋଲି ପରୀକ୍ଷଣ ସମୟରେ ଜଣାପଡିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି । ଯେଉଁମାନଙ୍କୁ କମ ଦେଖାଯାଇଥାଏ ସେମାନଙ୍କର ଅନ୍ୟ ଇନ୍ଦ୍ରୀୟ ଅଧିକ ସକ୍ରିୟ ହୋଇଥାଏ । ସେମାନଙ୍କର ଶ୍ରବଣ ସହ ଆଘ୍ରାଣ ଶକ୍ତି ବଢିଥାଏ । ଏଭଳି କ୍ଷେତ୍ରରେ ଏହି ଡିଭାଇସ୍ଟି ସେମାନଙ୍କୁ ବିଶେଷ ଭାବେ ସାହାଯ୍ୟ କରିବ । ବର୍ତ୍ତମାନ ଇଞ୍ଜିନିୟରମାନେ ଏହାକୁ ଅଧିକ ସୁବିଧାଜନକ କରିବା ପାଇଁ ପ୍ରୟାସ କରୁଛନ୍ତି ।

Comments are closed.