ଖଣି ପରିସରରୁ କଙ୍କାଳ ଉଦ୍ଧାର ଘଟଣା ,୮ ମାସ ପରେ ପୁରୁଷ ବନ୍ଧୁ ଗିରଫ

ଖୋର୍ଦ୍ଧା : ତାପଙ୍ଗ ଖଣି ପରିସରରୁ କଙ୍କାଳ ଉଦ୍ଧାର ଘଟଣା । ଏହା ଜଣେ ଯୁବତୀଙ୍କର । ଅଭିଯୁକ୍ତ ଦେବାଶିଷ ବିଶୋୟୀକୁ ଗିରଫ କରିଛି ଭରତପୁର ପୁଲିସ। ମୃତକ ହେଉଛନ୍ତି ନିରୁପମା ପରିଡା । ସେ ଭୁବନେଶ୍ୱରରେ କେୟାର ଟେକର ଭାବରେ କାମ କରୁଥିବାବେଳେ ଗତ ଜାନୁଆରୀ ମାସରୁ ନିଖୋଜ ଥିଲେ । ଏହି ଘଟଣାରେ ଦୀର୍ଘ ୮ ମାସ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି କମିଶନରେଟ ପୋଲିସ । ପ୍ରେମିକାଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିଲା ଅଭିଯୁକ୍ତ । ଏନେଇ ଶନିବାର ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଶୁକ୍ରବାର କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଯୁବତୀଙ୍କ ମୃତଦେହ ଜବତ ହୋଇଥିଲା । ଯୁବତୀ ଜଣକ ଭରତପୁର ଥାନା ଅଞ୍ଚଳର । ମୃତ ଯୁବତୀଙ୍କ ନାଁ ନିରୁପମା ପରିଡ଼ା ଓରଫ ମିତା,ତାଙ୍କ ଘର ରଣପୁର ହରିପୁର ଅଞ୍ଚଳରେ । ସେ ଭରତପୁର ଥାନା ପାତ୍ରପଡ଼ା ଶ୍ରୀକ୍ଷେତ୍ର ରେସିଡେନ୍ସିର ସମରଜିତ୍ ଜେନାଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ଗତ ଜାନୁଆରୀ ୨୪ ତାରିଖରେ ସମରଜିତଙ୍କ ପରିବାର ଭଞ୍ଜନଗର ବାହାରିଥିଲେ । ସେମାନେ ନିରୁପମାଙ୍କୁ ସାଙ୍ଗରେ ନେଇଯିବାକୁ କହିଥିଲେ, ‌ହେଲେ ସେ ମୋବାଇଲ୍ ଠିକ୍ କରି ଗାଁକୁ ଯିବ ବୋଲି କହିଥିଲେ । କିନ୍ତୁ ନିରୁପମା ଆଉ ଘରକୁ ଯାଇ ନ ଥିଲେ । ଗତ ଜାନୁଆରୀ ୨୭ ତାରିଖରେ ସମରଜିତ ଏବଂ ନିରୁପମାଙ୍କ ପରିବାର ଅପହରଣ କରାଯାଇଥିବା ନେଇ ଭରତପୁର ଥାନାରେ ଏତଲା ଦେଇଥିଲେ ।

ଅଭିଯୁକ୍ତ ଦେବାଶିଷ ବିଶୋୟୀଙ୍କ ଘର ମଧ୍ୟ ନୟାଗଡ଼ ରଣପୁର ମଝିଆଖଣ୍ଡ ଅଞ୍ଚଳରେ । ସେ ଭୁବନେଶ୍ଵରରେ ଇଲେକ୍ଟ୍ରିକ୍ ମେକାନିକ୍ ଭାବେ କାମ କରୁଥିଲେ । ନିରୁପମା ଏବଂ ଅଭିଯୁକ୍ତ ଦେବାଶିଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ପ୍ରେମିକାଙ୍କ ଉପରେ ଦେବାଶିଷର ସନ୍ଦେହ କରି ଗତ ଜାନୁୟାରୀ ୨୪ ତାରିଖରେ ନିରୁପମାଙ୍କୁ ନୟାଗଡ଼ ନେଇଥିଲା । ଉଭୟ ସେଠାରେ ବୁଲାବୁଲି କରି ପୁଣି ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳକୁ ଯାଇଥିଲେ । ତେବେ ସେହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା ପରେ ଦେବାଶିଷ ଏକ ଓଢ଼ଣୀରେ ନିରୁପମାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ପୋତି ଦେଇ ଫେରାର ହୋଇ ଯାଇଥିଲା ।

ପୋଲିସ ମାମଲାର ତଦନ୍ତ କରି ଦେବାଶିଷଙ୍କ ନମ୍ବରକୁ ଟ୍ରାକ୍ କରି ଦୀର୍ଘ ୮ ମାସ ପରେ ଗିରଫ କରିଛି । ଦେବାଶିଷ ହତ୍ୟା କରିଥିବା କଥା ସ୍ୱୀକାର କରିବାରୁ ଭରତପୁର ପୋଲିସ ତାକୁ ସାଙ୍ଗରେ ନେଇ ତାପଙ୍ଗ ଖଣି ପରିସରରୁ ନିରୁପମଙ୍କ କଙ୍କାଳ ଉଦ୍ଧାର କରିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି ।

Govt

Comments are closed.