ବ୍ରହ୍ମପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୨ ଦିନିଆ ରିମାଣ୍ଡରେ ଯିବେ ୬ ଅଭିଯୁକ୍ତ । ରିମାଣ୍ଡ ରେ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଆଜି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ CAW ଟିମ୍ । ଗତ ୧୭ ତାରିଖରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି ଛଅ ଅଭିଯୁକ୍ତ । ସେମାନଙ୍କୁ ରିମାଣ୍ଡରେ ନେବା ପରେ ଘଟଣାସ୍ଥଳକୁ ନେଇ ସିନରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ ର CAW ଟିମ ।
ଏହି ୬ ଅଭିଯୁକ୍ତ ହେଲେ ବେଲଗାଁ ଥାନା ଅନ୍ତର୍ଗତ ପାଟପୁର ଗାଁର କୁନାଲ ପ୍ରଧାନ, ହିଞ୍ଜିଳି ଥାନା ଅନ୍ତର୍ଗତ ବାରୁପଦ ଗାଁର ବାବୁରାମ ଦଳାଇ, ଲକ୍ଷ୍ମଣ ପ୍ରଧାନ, ସିକିରି ଗାଁର ଓମ୍ ପ୍ରଧାନ, ଦୀପକ ତରାଇ ଓ ପୁରୁଷୋତ୍ତମପୁରର ପ୍ରମୋଦ ନାୟକଙ୍କୁ ଆଜି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।
ଜୁନ୍ ୧୨ରେ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ଯୁବତୀ ଜଣକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ ।
ଅନ୍ୟପଟେ,ଅଭିଯୁକ୍ତମାନେ କେତେବେଳେ ବେଳାଭୂମିରେ ପହଞ୍ଚିଥିଲେ ଓ ସେମାନଙ୍କୁ କେଉଁମାନେ ଦେଖିଥିଲେ ଏପିରିକି ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ବେଳାଭୂମିରେ କେଉଁମାନେ ଦେଖିଥିଲେ ସବୁ ତଦନ୍ତ ଚାଲିଛି । ଅଭିଯୁକ୍ତମାନଙ୍କର ଗିତିବିଧିକୁ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରି ସବୁ ଦିଗରୁ ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ । ଗତ ଶୁକ୍ରବାର ଦିନ ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପରେଡ । ସେପଟେ ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ । ମାମଲାର ତ୍ଵରିତ ଫଇସଲା ପାଇଁ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ ।

Comments are closed.