ଭୁବନେଶ୍ୱର : ପିଲାଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ଡ୍ରପ୍ ଆଉଟ୍ ରୋକିବା ପାଇଁ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ । ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲାଙ୍କୁ ମାଗଣାରେ ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ ମାଗଣାରେ ଦିଆଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର। ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ଏକ ହଜାର ଟଙ୍କା ପାଣ୍ଠି ଆବଶ୍ୟକ। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା।
ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ବାଲ୍ ବାଟିକା ତଥା ଶିଶୁ ବାଟିକା ପିଲା ପିଛା ଖର୍ଚ୍ଚ ହଜାରେ ଟଙ୍କା ବିଭାଗ ବହନ କରିବ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲାଯାଇଛି । ଏବେ ପିଲାଙ୍କୁ ୟୁନିଫର୍ମ ସହିତ ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ମଧ୍ୟ ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି ।
