ପୁରୀ : ରଥ ଉପରେ ଅଣସେବାୟତଙ୍କ ଚଢ଼ିବା ଘଟଣାରେ ଶ୍ରୀମନ୍ଦିର ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ I ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରେ ୨ ଜଣ ଅଣସେବାୟତ ଚଢିଥିବା ଜଣାପଡିବା ପରେ ଏଥିରେ ହାତ ଥିବା ସମ୍ପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ତାଗିଦ କରାଯାଇଛି । ଏହାସହ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ, ପାଉଣା ସ୍ଥଗିତ ରଖିବାକୁ ମଧ୍ୟ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ଅଣଅଧିକୃତ ୨ ବ୍ୟକ୍ତିଙ୍କୁ ରଥ ଉପରେ କିଏ ଏବଂ କାହିଁକି ଚଢ଼ିବାକୁ ଅନୁମତି ଦେଇଥିଲେ ? ଯଦି ଅଣଅଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିଥିବାବେଳେ ଅନ୍ୟ ସେବାୟତମାନେ କାହିଁକି ବିରୋଧ କରିନଥିଲେ ? ଏସବୁ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇନପାରିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ଶ୍ରୀମନ୍ଦିର ପ୍ରଶାସନ ।
ସୂଚନାନୁସାରେ,ମା’ ସୁଭଦ୍ରାଙ୍କ ରଥ ଉପରେ ୨ ଜଣ ଅଣସେବାୟତ ଚଢିଥିବା ଜଣାପଡିବା ପରେ ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ସେମାନଙ୍କୁ ତଳକୁ ଓହ୍ଲାଇବା ସହ ତାଙ୍କ ଠାରୁ ପାସ ଜବତ କରିଥିଲେ । ତଦନ୍ତ ପରେ ଜଣେ ଦଇତାପତି ସେବକ ସେମାନଙ୍କୁ ପାସ ଦେଇଥିଲେ । ଏହି ଘଟଣାରେ ଉକ୍ତ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀ ମନ୍ଦିର ପ୍ରଶାସନ ।
Comments are closed.