ହିନ୍ଦୁ ଧର୍ମରେ ଶକ୍ତି ଉପାସନା ବେଶ୍ ପୁରାତନ । ଅନାଦି କାଳରୁ ଏହି ପରମ୍ପରା ଚାଲି ଆସିଛି । ପୂରାଣ ବର୍ଣ୍ଣିତ ଅନୁସାରେ ଓଡିଶାରେ ଅନେକ ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ଆବିଷ୍କାର ପଛରେ ମଧ୍ୟ ପୌରାଣିକ କିମ୍ବଦନ୍ତୀ ରହିଛି । ପୂରାଣକଥା ଅନୁସାରେ ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ସତୀ ଅପମାନିତ ହେବା ପରେ ନିଜ ଜୀବନ ହାରିଥିଲେ । ତେବେ ଏହାପରେ ବ୍ୟଥିତ ରୁଦ୍ର ସତୀଙ୍କ ମରଶରୀରକୁ ଧରି ଚାରିଆଡେ ବୁଲିଥିଲେ । ଏହା ପରେ ବିଷ୍ଣୁ ଶିବଙ୍କୁ ଶାନ୍ତ କରିବା ପାଇଁ ସତୀଙ୍କ ମର ଶରୀରକୁ ସୁଦର୍ଶନ ଚକ୍ରରେ ଖଣ୍ଡବିଖଣ୍ଡିତ କରିଥିଲେ । ତେବେ ସତୀଙ୍କ ଶରୀରର ୫୧ ଖଣ୍ଡ ଯେଉଁ ଯେଉଁ ସ୍ଥାନରେ ପଡିଥିଲା ସେହି ସ୍ଥାନ ଗୋଟିଏ ଗୋଟିଏ ଶକ୍ତିପୀଠରେ ରୂପାନ୍ତରିତ ହୋଇଥିଲା । ସେଥିମଧ୍ୟରୁ ଓଡ଼ିଶାରେ ଥିବା କିଛି ଶକ୍ତି ପୀଠ ସମ୍ବନ୍ଧରେ ।
ବାଣପୁର ମାଆ ଭଗବତୀ
ବାଣପୁର ସହରର ପଶ୍ଚିମ ଦିଗରେ ଘଣ୍ଟଶିଳା ପାହାଡ଼ ନିକଟରେ ଶାଳିଆ ନଦୀ କୂଳରେ ରହିଛି ଭଗବତୀଙ୍କ ଦେଉଳ । ପ୍ରଧାନ ଦେଉଳକୁ ଲାଗି ରହିଛି ଜଗମୋହନ । ଏଠାରେ ଭଗବତୀଙ୍କର ପ୍ରାୟ ପାଞ୍ଚଫୁଟ ଉଚ୍ଚର ଅଷ୍ଟଭୁଜା ପ୍ରସ୍ତରମୁର୍ତ୍ତି ପୂଜା ପାଉଛନ୍ତି । ଦେବୀ ଦୁଇ ହସ୍ତରେ ଧରିଥିବା ତ୍ରିଶୂଳରେ ମହିଷାସୁରର ବକ୍ଷକୁ ବିଦ୍ଧ କରୁଥିବା ମୁଦ୍ରାରେ ସିଂହ ଉପରେ ଦଣ୍ଡାୟମାନ ଅଛନ୍ତି । ଦେବୀ ତାଙ୍କର ଅନ୍ୟ ଛଅଟି ହସ୍ତରେ ଖଡ଼V, ସର୍ପ, ଧନୁ, ଅଙ୍କୁଶ, ଶଙ୍ଖ ଓ ଚକ୍ର ଧାରଣ କରିଛନ୍ତି । ମଇଁଷି ଶରୀର ମଧ୍ୟରୁ ଆତ୍ମପ୍ରକାଶ କରିଥିବା ଅସୁରରକୁ ଦେବୀ ନିଜ ତ୍ରିଶୁଳରେ ନିଧନ କରିଛନ୍ତି । ସମ୍ପୂର୍ଣ୍ଣରୂପେ ବସ୍ତ୍ରାବୃତ ପ୍ରତିମାଙ୍କର ଦୁଇଟି ରୁପାର ଚକ୍ଷୁ, ରୁପାର ପାଟି ଓ ସୁନାର ଜିଭଦ୍ୱାରା ସଜ୍ଜିତ ହୋଇଛି । ଦଶହରା ସମୟରେ ସମସ୍ତ ରିତୀନିତୀ ଅନୁଯାୟୀ ଦେବୀଙ୍କର ଷୋଳପୂଜା କରାଯାଇଥାଏ ।
ମାଆ ବିମଳା
ଶ୍ରୀମନ୍ଦିରରେ ରହିଛି ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର । ଯେଉଁଠି ମା’ ବିମଳାଙ୍କ ନାମରେ ପୂଜା ପାଉଛନ୍ତି ମା’ । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ । ଏହି ପୂଜା ଆଶ୍ୱିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଦିନ ଅର୍ଦ୍ଧରାତ୍ରି ସମୟରେ ଯେତେବେଳେ ମହାନିଶା ସମୟ ଆସିଥାଏ, ତିନି ଦିନ ସେହି ସମୟରେ ବଳି ନୀତି ହେବାର କିମ୍ବଦନ୍ତୀ ରହିଛି । ସାମବଂଶୀ ରାଜତ୍ୱ(ସପ୍ତମ ଶତାବ୍ଦୀ) ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା । ବର୍ତ୍ତମାନର ବିମଳା ମନ୍ଦିର ସେହି ସମୟର ବୋଲି ଇତିହାସରେ ବର୍ଣ୍ଣନା ରହିଛି । ଦେବୀ ଚତୁର୍ଭୁଜା, ଓ ତ୍ରିନେତ୍ରା । ଅଷ୍ଟଦଳ ପଦ୍ମ ଉପରେ ଦେବୀ ଦଣ୍ଡାୟମାନ । ହସ୍ତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଶୋଭାପାଇଥାଏ । ଦୁର୍ଗାପୂଜା ସମୟରେ ଚଳଚଞ୍ଚଳ ହୋଇପଡେ ଏହି ପୀଠ । ଷୋଡଷ ଉପଚାରରେ ଦେବୀଙ୍କର ପୂଜା କରାଯାଇଥାଏ ।
କାକଟପୁରରେ ମାଆ ମଙ୍ଗଳା ମନ୍ଦିର
ଅନ୍ୟ ଏକ ଶକ୍ତିପୀଠ ହେଲା ମଙ୍ଗଳାଙ୍କ ପୀଠ । ପୁରୀ ଜିଲ୍ଲା କାକଟପୁରଠାରେ ପ୍ରାଚୀ ନଦୀ କୂଳରେ ଅବସ୍ଥିତ ମଙ୍ଗଳାଙ୍କ ପୀଠ । ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଅଟେ । ବର୍ଷ ତମାମ ଏଠାକୁ ଭକ୍ତମାନେ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରକୁ ବିଗତ ୫୦୦ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର ରାୟଚୁଡାମଣିଙ୍କ ପରିବାର, ବିଶିଷ୍ଠ ଜ୍ଞାନୀ ସେବକମାନଙ୍କୁ ନେଇ ନିର୍ମାଣ କରିଥିଲେ । ଏହି ମନ୍ଦିର ପଞ୍ଚାନନ ମିତ୍ର ରାୟଚୁଡାମଣିଙ୍କଦ୍ୱାରା (୧୫୪୮ଖ୍ରୀଷ୍ଟାବ୍ଦ)ରେ ନିର୍ମିତ । ପ୍ରଚଳିତ ଲୋକକଥା ଅନୁଯାୟୀ, ମା’ ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲେ । ତେବେ ସ୍ୱପ୍ନାଦେଶକୁ ଆଧାର କରି ମା’ଙ୍କ ବିଗ୍ରହକୁ ପାଣିରୁ ଅଣାଯାଇ ଏହି ସ୍ଥାନରେ ପୂଜା ନିମନ୍ତେ ସ୍ଥାପନା କରାଯାଇଥିଲା । ଏହି ମନ୍ଦିର ସ୍ୱତନ୍ତ୍ର କଳିଙ୍ଗ ଶୈଳୀରେ ପ୍ରତିଷ୍ଠିତ କରାଯାଇଛି । ଏଠାରେ ଶକ୍ତ ପଥରରେ ନିର୍ମିତ ଏକ ଶଯ୍ୟା ଅଛି, ଯେଉଁଠାରେ ମା’ମଙ୍ଗଳା ପ୍ରତିଦିନ ବିମ୍ବ ପରିକ୍ରମା କରି ବିଶ୍ରାମ ନିଅନ୍ତି । ଏହି ଶଯ୍ୟାଟି ଏପରି ଭାବେ ଖୋଦିତ ହୋଇଛି, ଯେପରି ଏହା ଶହ ଶହ ବର୍ଷ ଧରି ବ୍ୟବହାର ହୋଇଛି । ମନ୍ଦିରର ଚାରି ପାଶ୍ୱର୍ରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଏହା ଶକ୍ତି ଉପାସକ ଭକ୍ତଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳୀ । ଦୁର୍ଗା ପୂଜା ସମୟରେ ଏହି ପୀଠରେ ଅନେକ ଭିଡ ଦେଖିବାକୁ ମିଳିଥାଏ ।
ମାଆ ଶାରଳା
ଜଗତସିହଂପୁର ଝଙ୍କଡଠ ପୀଠରେ ରହିଛି ମା’ ଶାରଳାଙ୍କ ମନ୍ଦିର । ଓଡ଼ିଶାରେ ଥିବା ଅଷ୍ଟଦେବୀପୀଠ ମଧ୍ୟରେ ମା’ ଶାରଳାଙ୍କର ରହିଛି ଅନନ୍ୟ ମହିମା । ଦୁର୍ଗାପୂଜା ସମୟରେ ଏହି ପୀଠ ଚଳଚଞ୍ଚଳ ହୋଇ ଉଠେ । ମା’ଙ୍କର ୧୬ ଦିନ ଧରି ପୂଜା କରାଯାଇଥାଏ । ତେବେ ଏହି ପୀଠର ଅନେକ ବିଶେଷତ୍ୱ ରହିଛି । ଏଠାରେ ଉଭୟ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳିଥାଏ । ଏହି ମନ୍ଦିରରେ ଉଭୟ ବେଲପତ୍ର ଓ ତୁଳସୀ ପତ୍ରକୁ ପୂଜାରେ ବ୍ୟବହାର କରାଯାଇଥାଏ । ଯାହା କେବଳ ଏହି ପୀଠରେ ଦେଖିବାକୁ ମିଳିଥାଏ । ସେହିଭଳି ମା’ଙ୍କ ମୂର୍ତ୍ତିଗଠନରେ ମଧ୍ୟ ଭିନ୍ନତା ପରଲକ୍ଷିତ ହୋଇଥାଏ । ମା’ଙ୍କ ହାତରେ ଉଭୟ ବୀଣା ଓ ଘଣ୍ଟି ଶୋଭାପାଇଥାଏ । କିମ୍ବଦନ୍ତୀ ଅନୁସାରେ ମା’ଙ୍କର ଆର୍ଶୀବାଦ ପାଇବା ପରେ ସାରଳା ଦାସ ମହାଭାରତ ରଚନା କରିଥିଲେ । ସେ ମହାଭାରତରେ ଶାରଳାଙ୍କୁ ଦୁର୍ଗା, ଶ୍ରୀଚଣ୍ଡୀ, ଅମ୍ବିକା, ଭବାନୀ ଆଦି ଅନେକ ନାମରେ ବର୍ଣ୍ଣନା କରିଛନ୍ତି ।
ଯାଜପୁରେ ମାଆ ବିରଜା
ଯାଜପୁର ଜିଲ୍ଲାରେ ରହିଛି ଶକ୍ତିପୀଠ ବିରଜା ମନ୍ଦିର । ଏହା ବିରଜା କ୍ଷେତ୍ର ନାମରେ ସବୁଆଡେ ଜଣା । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାଇଥାଆନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଇଥାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରିଛନ୍ତି । ସ୍କନ୍ଦ ପୂରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ରହିଛି । ଏଠାରେ ଶାରଦୀୟ ଦୁର୍ଗାପୂଜାକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ମା’ଙ୍କର ଦର୍ଶନ ସହ ଦୁର୍ଗାପୂଜାରେ ଭାଗ ନେବାକୁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଲାଗିଥାଏ ।
ମାଆ ଚର୍ଚ୍ଚିକା
କଟକର ବାଙ୍କିରେ ରହିଛି ମା’ଚର୍ଚ୍ଚିକାଙ୍କ ପୀଠ । ଏହା ବାଙ୍କୀ ସହରରେ ଥିବା ଏକ ପ୍ରାଚୀନ ଶକ୍ତି ପୀଠ । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ଋଚିକ ପର୍ବତରେ ଅବସ୍ଥିତ । ପାଠର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କ ଦ୍ୱାରା ତିଆରି କରାଯାଇଥିବା ବିଶ୍ୱାସ ରହିଛି । ମହାନଦୀ କୂଳରେ ଅଷ୍ଟଭୂଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା । ଅଷ୍ଟଭୂଜରେ ମା’ ଧାରଣ କରିଛନ୍ତି ଖଡV, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ । ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ । ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହାନବମୀରେ ମା’ଙ୍କୁ ସମସ୍ତ ରୀତିନୀତି ଅନୁସାରେ ପୂଜା କରାଯାଇଥାଏ । ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି । ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା । କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯିବାର ନିୟମ ରହିଛି ।

Comments are closed.