ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ସୁରକ୍ଷାକର୍ମୀ । ଗତକାଲି ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ ପରେ ରଣକ୍ଷେତ୍ର ପାଲଟିଥିଲା କ୍ୟାପିଟାଲ ହସ୍ପିଟାଲ ପରିସର । ପ୍ରଥମେ ଚିକିତ୍ସା କରୁଥିବା ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରି ମୃତ ଶିଶୁପୁତ୍ରର ପରିବାର ଆନ୍ଦୋଳନ କରୁଥିବାବେଳେ କ୍ୟାପିଟାଲ ହସ୍ପିଟାଲ ସୁରକ୍ଷାକର୍ମୀ ତାଙ୍କୁ ମାଡ଼ ମାରିଥିଲେ । ଏହାକୁ ନେଇ ପୁରା କ୍ୟାପିଟାଲ ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ ଅଟୋ ଡ୍ରାଇଭର ସଂଘ । ଏହି ସମୟରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରାଯାଇଥିଲା । ଆନ୍ଦୋଳନକାରୀଙ୍କୁ ଅଟକାଇବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଏହାସହିତ ସୁରକ୍ଷା କର୍ମୀଙ୍କୁ ମାଡ ମାରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ଆଜି ସାଧା ପୋଷାକରେ ସୁରକ୍ଷାକର୍ମୀ କାର୍ଯ୍ୟକୁ ଆସିବା ସହିତ ନିଜ ସୁରକ୍ଷା ଦାବିରେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।
ସୂଚନାନୁସାରେ,ରବିବାର ବିଳମ୍ବିତ ରାତିରେ ସାଲିଆସାହିରୁ ଜଣେ ଅଟୋ ଚାଳକଙ୍କ ୧୪ ମାସର ଶିଶୁପୁତ୍ର କ୍ୟାପିଟାଲ ହସ୍ପିଟାଲରେ ଆଡ଼ମିସନ ହୋଇଥିଲା । ଏହି ସମୟରେ ଡିଉଟିରେ ଥିବା ଡାକ୍ତର ନିଦରୁ ଉଠି ଶିଶୁ ପୁତ୍ର ପାଇଁ କିଛି ଔଷଧ ଲେଖିଦେଇଥିଲେ । ପରିବାର ଲୋକେ ଉକ୍ତ ଔଷଧ ଆଣିଦେଇଥିଲେ । ମାତ୍ର କିଛି ସମୟ ପରେ ଶିଶୁଟିର ଅବସ୍ଥା ଅଧିକ ଖରାପ ହୋଇ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରେ ହସ୍ପିଟାଲ ପରିସର ରଣକ୍ଷେତ୍ର ପାଲଟିଥିଲା । ଏହି ଘଟଣାରେ ଆଜି ସୁରକ୍ଷା ଦାବିରେ ହସ୍ପିଟାଲର ସୁରକ୍ଷାକର୍ମୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ମେଡିକାଲ ପରିସରରେ ରାସ୍ତାରୋକ କରିଛନ୍ତି ।

Comments are closed.