ସତ୍‌ସଙ୍ଗର ପ୍ରଭାବ

ଭବାଶିଷ ଦାସ, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ

ସ୍ୱୟଂ ନିରାକାର ଆଜି ନରରୂପରେ ସଂସାରରେ ଅବତୀର୍ଣ୍ଣ । ସେ ଏହି ଧରାପୃଷ୍ଠକୁ ଆସିଛନ୍ତି ମନୁଷ୍ୟକୁ ମାୟା ରୂପକ ମରୀଚିକାରୁ ରକ୍ଷା କରିବା ନିମନ୍ତେ ଯେଉଁ ମାୟା ମନୁଷ୍ୟର ଦୃଷ୍ଟି ଏବଂ ବୁଦ୍ଧିକୁ କୁପଥଗାମୀ କରାଇଛି । ସଂଯମୀ ପୁରୁଷ ମୃତୁ୍ୟକୁ ମଧ୍ୟ ଜୟ କରିପାରେ । ସର୍ବଦା ଇନ୍ଦ୍ରିୟ ସଂଯମ ଆଚରଣ କରି ନିଜର ଦୁର୍ବାର ଆଶାଗୁଡ଼ିକ ନିୟନ୍ତ୍ରିତ କରିପାରିଲେ ମୃତୁ୍ୟକୁ ମଧ୍ୟ ଜୟ କରାଯାଇ ପାରିବ । ଯେତେବେଳେ ମନୁଷ୍ୟ ଏହା ପାଶୋରି ଯାଇ ଇନ୍ଦ୍ରିୟଗୁଡ଼ିକର ଦାସତ୍ୱ ସ୍ୱୀକାର କରିଯାଏ, ସେତେବେଳେ ବିଶ୍ୱକର୍ତ୍ତା ଅସୀମ ଦୟା ପ୍ରଦର୍ଶନ କରି ସଂସାର ବକ୍ଷରେ ଅବତୀର୍ଣ୍ଣ ହୋଇ ମନୁଷ୍ୟକୁ ସ୍ୱର୍ଗୀୟ ପଥ ଦର୍ଶାଇ ଥାଆନ୍ତି ।

ମନୁଷ୍ୟ କହିଲେ କେବଳ ତାର ସୁନ୍ଦର ଶରୀରକୁ ବୁଝାଏ ନାହିଁ, ଯାହାର ପୁଷ୍ଟି ସାଧନ ପାଇଁ ସେ କେବଳ ଖାଇବ, ଶୋଇବ ଏବଂ ମଉଜ ମଜଲିସ କରିବ । ସେ ତାର ଭୁଲର ପ୍ରତିକାର କରି ଜାଣିବା ଉଚିତ । ସଂସାରର ମାୟାମୋହ ରୂପକ ବନ୍ଧନରୁ କିପରି ମୁକ୍ତି ପାଇବ ସେ ସମ୍ବନ୍ଧରେ ଅବଗତ ହେବା ବାଞ୍ଛନୀୟ । ସେ ଆତ୍ମାର ଉନ୍ନତି ଆତ୍ମା ଦ୍ୱାରା ହିଁ କରି ପାରିବ । ଆତ୍ମୋଦ୍ଧାର ନିମତ୍ତ ସତତ ଚେଷ୍ଟା ଆବଶ୍ୟକ । ସେହି ସାଧନା ତାର ଆତ୍ମାକୁ ପରମାତ୍ମାଙ୍କ ସହିତ ଲୀନ ହେବା ପାଇଁ ସାହାଯ୍ୟ କରିପାରିବ ।

କେତେ ପରିମାଣର ଭୂମି ଏବଂ କୋଠାଘର ମନୁଷ୍ୟର କ୍ଷୁଧାର ପରିତୃପ୍ତି ପାଇଁ ଆବଶ୍ୟକ? ଦିନେ ନା ଦିନେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ତାକୁ ଏ ସମସ୍ତ ପୁଞ୍ଜିଭୂତ ସମ୍ପତ୍ତିବାଡ଼ି ସବୁକୁ ଛାଡ଼ି ଚାଲିଯିବାକୁ ପଡ଼ିବ । ଦକ୍ଷିଣାଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଶହେ ଏକର ଜମି ଥିଲା, କିନ୍ତୁ ଆହୁରି ଅନ୍ତତଃ ଶହେ ଏକର ଜମି ଦଖଲ କରିବା ପାଇଁ ତାଙ୍କର ମନ ଉଚ୍ଚାଟ ହେଲା । ତେଣୁ ସେ ସବୁ ଦିଗରେ ଥିବା ବିଭିନ୍ନ ଅଞ୍ଚଳଗୁଡ଼ିକୁ ଖୋଜିବାକୁ ଗଲେ । ବହୁ ପରିମାଣ ଚାଷୋପଯୋଗୀ ଜମି ସଂଗ୍ରହ କରିବା ପାଇଁ ।

ପରିଶେଷରେ ସେ ହିମାଳୟ ନିକଟସ୍ଥ ଗୋଟିଏ ରାଜ୍ୟକୁ ଗଲେ । ସେଠାକାର ରାଜା ଆନନ୍ଦର ସହ ତାଙ୍କ ଆବଶ୍ୟକ ଅନୁଯାୟୀ ଜମିଦାନ କରିବା ପାଇଁ ସମ୍ମତି ପ୍ରଦାନ କଲେ । କିନ୍ତୁ ତାଙ୍କର ଗୋଟିଏ ସର୍ତ୍ତ ଥିଲା । ସର୍ତ୍ତାନୁଯାୟୀ ସେ ଉକ୍ତ ବ୍ୟକ୍ତିଙ୍କର ସହନଶୀଳତାର ପରାକାଷ୍ଠା ପରୀକ୍ଷା କରିବେ । ରାଜା କହିଲେ ସେ ବ୍ୟକ୍ତି ଜଣକ ସୂର୍ଯେ୍ୟାଦୟ ସମୟରେ ବାହାରିବେ ଏବଂ ଅବିଳମ୍ବେ ସୂର୍ଯ୍ୟାସ୍ତ ପୂର୍ବରୁ ପୁଣି ପୂର୍ବୋକ୍ତ ସ୍ଥାନକୁ ଫେରି ଆସିବେ ତା ହେଲେ ତାଙ୍କ ଗନ୍ତବ୍ୟ ପଥ ପରିବେଷ୍ଟିତ ସମୟ ଜମି ତାଙ୍କ ଦଖଲରେ ରହିବ ।

ଲୋଭୀ ବିଦେଶୀ ବ୍ୟଗ୍ରତାର ସହିତ ସୂର୍ଯେ୍ୟାଦୟ ପର୍ଯ୍ୟନ୍ତ ଅପେକ୍ଷା କରି ଏକ ବିରାଟ ବୃତ୍ତାକାର ପଥରେ ଦୌଡ଼ିବାକୁ ଲାଗିଲା ସେ ଏତେ ଦୂର କ୍ଲାନ୍ତ ହୋଇ ପଡ଼ିଥିଲା ଯେ ଆରମ୍ଭ ସ୍ଥାନ ଠାରୁ ମାତ୍ର ତିନିଗଜ ଦୂରରେ ମୃତୁ୍ୟ ମୁଖରେ ନିପତିତ ହେଲା । ସେ ସନ୍ଧ୍ୟା ପୂର୍ବରୁ ମନଇଛା ଜମି ଦଖଲ କରିବା ପାଇଁ ନିଜ ଶକ୍ତି ବହିର୍ଭୁତ ପରିଶ୍ରମ କରିଥିଲା । ଅନେକ ଲୋକ ତାଙ୍କ ଜୀବନ ସାରା ଖାଲି ଅର୍ଥ ଠୁଳ କରିବାରେ ବ୍ୟସ୍ତ ରହିଥାନ୍ତି, କିନ୍ତୁ ସେ ଅର୍ଥଗୁଡ଼ିକର ସଦୁପଯୋଗ କରିବା ପୂର୍ବରୁ ମୃତୁ୍ୟ ମୁଖରେ ପଡ଼ିଥାନ୍ତ ।, ଅର୍ଥ ଦ୍ୱାରା ଔଷଧ କ୍ରୟ କରାଯାଇପାରେ । ମାତ୍ର ମାନସିକ ଶାନ୍ତି ଏବଂ ସନ୍ତୋଷ କେବଳ ଆମକୁ ପ୍ରକୃତ ସ୍ୱାସ୍ଥ୍ୟ ପ୍ରଦାନ କରିପାରିବ । ପ୍ରଚୁର ଅର୍ଥ ଦେଇ ପ୍ରବୀଣ ଚିକିତ୍ସକ ସଂଗ୍ରହ କରାଯାଇ ପାରେ କିନ୍ତୁ ଜୀବନ ରକ୍ଷାର ନିରାପତ୍ତା ସମ୍ପର୍କରେ ଆମେ ତାଙ୍କ ସହ ଚୁକ୍ତିକରି ପାରିବ ନାହିଁ ।

ସନ‘ ପାଳନ ନିମନ୍ତେ ଈଶ୍ୱର ଧରା ପୃଷ୍ଠକୁ ଆସନ୍ତି । ଖାଲି ହିମାଳୟକୁ ଆଶ୍ରୟସ୍ଥଳୀ ରୂପେ ଗ୍ରହଣ କରିଥିବା ବ୍ୟକ୍ତିକୁ ଯେ ସାଧୁ କୁହାଯାଏ ତା ନୁହେଁ । ସେହି ଲୋକ ପ୍ରକୃତ ସାଧୁ ଯାହାର ଅର୍ନ୍ତଦୃଷ୍ଟି ଥାଏ, ଯିଏ ପ୍ରତ୍ୟେକ ହୃଦୟର ସତ୍ୟତାକୁ ଉପଲବ୍ଧି କରିପାରେ । ଅନେକ ସମୟରେ ସାଧୁ ବେଶ ଧାରଣ କରିଥିବା କେତେକ ପ୍ରତାରଣାକୁ ବୁଝି ନପାରି ଆମେ ସେମାନଙ୍କୁ ପ୍ରକୃତ ସାଧୁର ସମ୍ମାନ ଦେଇଥାଉ । କିନ୍ତୁ ଜାଣିରଖିବା ଉଚିତ ଆମେ ସମସ୍ତେ ଜଣେ ଜଣେ ସାଧୁ କାରଣ ଆମେ ପ୍ରତ୍ୟେକ ପ୍ରେମ ସ୍ୱରୂପ, ଶାନ୍ତି ସ୍ୱରୂପ, ଅମୃତ ସ୍ୱରୂପ କିନ୍ତୁ ତୁମର ମନ ଅହଂଭାବର ଢ଼ାଙ୍କୁଣି ଦ୍ୱାରା ଯେତେଶୀଘ୍ର ଆଚ୍ଛାଦିତ ହୋଇଯାଏ, ତୁମର ପ୍ରକୃତ ସ୍ୱରୂପ ସେତେ ଶୀଘ୍ର କଳଙ୍କିତ ହୋଇଯାଏ । କିନ୍ତୁ ସତ୍‌ସଙ୍ଗର ପ୍ରଭାବ, ଭଗବତ ପ୍ରେମୀମାନଙ୍କର ସଙ୍ଗ ଓ ସାହଚର୍ଯ୍ୟ, ଅବିରତ ଆତ୍ମସଂଯମ, ଏବଂ ଆତ୍ମୋନ୍ନତି ଆମକୁ ଶରୀରସର୍ବସ୍ୱ ନ କରି ମାୟାମୁକ୍ତ କରିବ ।

Govt

Comments are closed.