ବିଦ୍ୟାର ଅଧିଷ୍ଠାତ୍ରୀ ମା’

ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଏହି ଦିନରେ ବିଦ୍ୟାର୍ଥୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।

ବିଦ୍ୟାର ଅଧିଷ୍ଠାତ୍ରୀ ମା’

ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶେ୍ୱତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।

ଏହି ଦିନରେ ସୂର୍ଯେ୍ୟାଦୟ ପୂର୍ବରୁ ବିଦ୍ୟାର୍ଥୀଗଣ ଉଠି ଫୁଲ ତୋଳି ଘରକୁ ଫୁଲକୁ ଆଣି ସ୍ନାନ କରି ଉପବାସ କରିବା ସଙ୍ଗେସଙ୍ଗେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ଫୁଲରେ ମାଳ ତିଆରି କରି ଦେବୀ ସରସ୍ୱତୀଙ୍କ ପୂଜା କରି ପୁଷ୍ପାଞ୍ଜଳି ଦିଅନ୍ତି । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ ।
ବିଦ୍ୟାର ଅଧିଷ୍ଠାତ୍ରୀ ମା’

ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ । ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ । ସରସ୍ୱତୀ ପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକାଦି ପୂଜା କରିବା ବିଧେୟ । ଏହି ଦିନ ଧଳାବସ୍ତ୍ର, ଧଳାଫୁଲ, ଫଳ ମାଦଙ୍କୁ ଅର୍ପଣ କରାଯାଏ । ଲାଲ କାଳିରେ ଲେଖି ଚନ୍ଦନ ଲଗାଇ ଧଳା ଫୁଲ ଚଢାଇ ମା’ଙ୍କୁ ପୂଜା କରାଯାଏ ।

ବିଦ୍ୟାର ଅଧିଷ୍ଠାତ୍ରୀ ମା’
ପୂର୍ବେ ସରସ୍ୱତୀ ପୂଜା ଦିନ ନଡ଼ିଆ ଖୋଜା ଓ ଦାଣ୍ଡ ମାଗୁଣି ପରମ୍ପରା ଥିଲା । ନଡ଼ିଆ ଖୋଜାରେ, ପୋଖରୀରେ ପୋତାଯାଇଥିବା ଗୋଟିଏ ନଡ଼ିଆକୁ ପିଲାମାନେ ଖୋଜୁଥିଲେ । ଦାଣ୍ଡ ମାଗୁଣିରେ, ନଡ଼ିଆ ପାଇଥିବା ପିଲାଟି ବେକରେ ଗେଣ୍ଡୁହାର ପକାଇ ଅନ୍ୟ ପିଲାଙ୍କ ମେଳରେ ଆଗେ ଆଗେ ଯାଉଥିଲା ଓ ଗୀତ ବୋଲି ଅବଧାଙ୍କ ନିମନ୍ତେ ଦକ୍ଷିଣା ଓ ବସ୍ତ୍ର ସଂଗ୍ରହ କରୁଥିଲେ । ମେଲାଣି ଶେଷରେ ଅବଧାନଙ୍କ ଘରକୁ ଯାଇ ସମସ୍ତ ସଂଗୃହିତ ପଇସା ଓ ଜିନିଷ ପହଞ୍ଚାଉଥିଲେ । ଏହି ପରମ୍ପରା କାଳ ପରିବର୍ତ୍ତନ ସମୟରେ ହଜି ଯାଇଛି, ହେଲେ ଛାଡ଼ି ଯାଇଛି ତା’ର ମହକ ଓ ବିଦ୍ୟାର୍ଥୀଙ୍କ ମନରେ ଥିବା ନିଜ ଅବଧାନଙ୍କ ପ୍ରତି ପ୍ରେମ ।

Comments are closed.