ଶ୍ରୀମନ୍ଦିରରେ ପାଳିତ ହେଲା ସପ୍ତପୁରୀ ଅମାବସ୍ୟା

ପୁରୀ : ଶ୍ରୀମନ୍ଦିରରେ ପାଳିତ ହେଲା ସପ୍ତପୁରୀ ଅମାବସ୍ୟା I ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ I ଏତଦ ବ୍ୟତୀତ ରହିଥାଏ କେତେକ ନୀତିକାନ୍ତି I ତନ୍ମଧ୍ୟରୁ ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବୋଲି କୁହାଯାଏ I ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ I ଏସବୁ ପାର୍ବଣ ଦିନ ମାନଙ୍କରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ନୀତି ନିୟମ I
ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ I ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗ ଲାଗିଥାଏ I ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ I ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ I ଆଜି ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା I ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିଥିଲା I ଏହାପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥିଲେ I ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କର ଆଜି ବିଶେଷ ପୂଜାନୀତି ସହ ସନ୍ଧ୍ୟା ଧୂପ ହେବ I ଏହାପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ I

Comments are closed.