ମୁମ୍ବାଇ: ସଞ୍ଜୟ ଦତ୍ତ ଏବଂ ପ୍ରୀତି ଜିଣ୍ଟା ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଦ ଗୁଡ୍ ମହାରାଜା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ଖବର ଆସିଛି ଯେ, ଏହି ଫିଲ୍ମରେ ସଞ୍ଜୟ ଦତ୍ତ ମହାରାଜ ରୋଲ୍ରେ ନଜର ଆସିବେ । ସେପଟେ ପ୍ରୀତି ଜିଣ୍ଟା ମହାରାଣୀଙ୍କ ଚରିତ୍ରରେ ଦେଖାଦେବେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହଜାରୁ ଅଧିକ ପିଲା ଶରଣାର୍ଥୀ କ୍ୟାମ୍ପରେ କଏଦ ହୋଇ ରହିଥିଲେ । କୌଣସି ଉପାୟରେ ଏହି ପିଲାମାନେ କ୍ୟାମ୍ପରୁ ବାହାରି ଜାହଜରେ ବସି ଲଣ୍ଡନରେ ଯେତେବେଳେ ପହଞ୍ଚିଥିଲେ, ସେତେବେଳେ ସେଠାକାର ପ୍ରଶାସନ ସେମାନଙ୍କୁ ରଖିବା ପାଇଁ ମନା କରିଦେଇଥିଲା । ପୁଣି ସେହି ଜାହଜ ପୁର୍ନବାର ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଜରାଟ ନବାନଗରର ରାଜା ଦିଗବିଜୟସିଂହ ଜଡେଜା ସେହି ପିଲାଙ୍କୁ ରଖିଥିଲେ । ଏହି ମହାରାଜ ଜାମ ସାହବଙ୍କ ନାମରେ ମଧ୍ୟ ସାରା ଦେଶରେ ପରିଚିତ ଥିଲେ ।

ରାଜା ଦିଗବିଜୟସିଂହ ତିନି ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଲାଳନପାଳନ ଦାୟିତ୍ୱ ନେଇଥିଲେ । ସେହି ହଜାରେ ପିଲାଙ୍କ ମଧ୍ୟରୁ ଗୋଟିଏ ପିଲା ଆଗାମୀ ଦିନରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲା । ଗୁଜରାଟର ରାଜାଙ୍କ ନାମରେ ପୋଲାଣ୍ଡର ରାସ୍ତା, ସ୍କୁଲ ଏବଂ ପାର୍ଲିଆମେଣ୍ଟ୍ରେ ପ୍ରତିମା ସ୍ଥାପନ କରାଗଲା ।
ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ମହାରାଜା ଦିଗବିଜୟସିଂହ ଏବଂ ହଜାରେ ଶରଣାର୍ଥୀ ପିଲାଙ୍କ ଉପରେ ଆଧାରିତ ହୋଇଛି । ଯେହେତୁ ଫିଲ୍ମଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ପର୍ଯ୍ୟବେଶିତ ହୋଇଛି, ତେଣୁ ଫିଲ୍ମର ବ୍ୟାକଗ୍ରାଉଣ୍ଡ ବହୁତ ବଡ଼ ହେବ ବୋଲି ଜଣାପଡ଼ିଛି । ଏହାର ସୁଟିଂ ପୋଲାଣ୍ଡ, ଋଷ, ଜର୍ମାନୀ, ଲଣ୍ଡନ ଏବଂ ଗୁଜରାଟରେ ହେବ । ପ୍ରଥମ ସୁଟିଂ ପୋଲାଣ୍ଡରେ ହେବ, ଯାହା ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି । ସଞ୍ଜୟ ଦତ୍ତ ଏବଂ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଫିଲ୍ମରେ ଗୁଲଶନ ଗ୍ରୋବର, ଶରଦ କପୁର, ଦୀପରାଜ ରାଣା, ଧ୍ରୁବ ଗୁପ୍ତା ପରି ଅନ୍ୟ ବର୍ଷିଆନ କଳାକାର ମଧ୍ୟ ସାମିଲ ହୋଇଛନ୍ତି । ସ୍କୁଲର ଆର୍ଟ ଏବଂ ନାଟକରେ ଭାଗ ନେଉଥିବା ଛୋଟ ପିଲାଙ୍କୁ ଫିଲ୍ମରେ କାଷ୍ଟ କରାଯିବ ବୋଲି ଜଣାପଡ଼ିଛି । ତେବେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ସହଯୋଗ କରିବା ପାଇଁ ବିଶ୍ୱ ପ୍ରସିଦ୍ଧ ଓସ୍କାର ପୁରସ୍କାର ବିଜେତା ନିର୍ଦ୍ଦେଶକ ରୋମନ ପୋଲଙ୍କିଙ୍କୁ ଆପ୍ରୋଚ୍ କରାଯାଇଛି । କେବଳ ସେତିକି ନୁହେଁ ପୋଲାଣ୍ଡର ରାଷ୍ଟ୍ରଦୂତ ମଧ୍ୟ ଏହି ଫିଲ୍ମ ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ନିର୍ଦ୍ଦେଶକ ବିକାଶ ବର୍ମା ଫିଲ୍ମକୁ ନିର୍ଦ୍ଦେଶିତ କରିବେ । ଆଗାମୀ ବର୍ଷ ୨୦୨୨ର ଡିସେମ୍ବରରେ ହିଁ ଦ ଗୁଡ୍ ମହାରାଜାକୁ ରିଲିଜ କରାଯିବ ବୋଲି ଯୋଜନା କରାଯାଇଛି । ସୂତ୍ର ଅନୁଯାୟୀ ଜଣାପଡ଼ିଛି ଯେ, ଫିଲ୍ମର ବଜେଟ୍ ପ୍ରାୟ ୪୦୦ କୋଟି ଟଙ୍କା ରଖାଯାଇଛି । ୨୦୧୭ରୁ ହିଁ ଫିଲ୍ମ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହାର ନିର୍ମାଣ ପୋଲାଣ୍ଡର ଜି-୭ ଫିଲ୍ମ ପୋଲାଣ୍ଡ କରୁଛି । ଏହାଛଡ଼ା ଫିଲ୍ମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଜୟ ବିସାରିଆଙ୍କ ସହ ଆଲୋଚନା କରିସାରିଛନ୍ତି । ଅଜୟ ସେହି ସମୟରେ ପୋଲାଣ୍ଡର ଆମ୍ବାସାଡର ଥିଲେ । ଏବେ ସେ କାନାଡାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି । ଅଜୟ ହିଁ ନିର୍ଦ୍ଦେଶକ ବିକାଶ ବର୍ମାଙ୍କ ସହ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରିଥିଲେ ।

Comments are closed.