ସମ୍ବଲପୁର: ସୋମବାର ଅଗଷ୍ଟ ୧ ହେଉଛି ସମ୍ବଲପୁରୀ ଦିନ୍ ପାଳିତ ହୋଇଛି । ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ସବୁକିଛି ଅଟକିଯାଇଥିଲା । ଜୀବନ ଜୀବିକା ବର୍ତ୍ତମାନ ଆଉଥରେ ଦୌଡ଼ିବା ଆରମ୍ଭ କରିଛି । ଏହି ସମୟ ମଧ୍ୟରେ ଆସିଛି ପୁଣି ସମ୍ବଲପୁରୀ ଦିନ୍ ଉତ୍ସବ ବାତାବରଣ । ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଠି କେବଳ ଗୋଟିଏ କଥା । ସମ୍ବଲପୁରୀ ଦିନ୍ ପାଇଁ ସବୁଠି ଉତ୍ସାହର ବାତାବରଣ ଦେଖିବାକୁ ମିଳିଥିଲା । ଏଥର ସମ୍ବଲପୁରୀ ଦିନ୍ ପାଳନ ପାଇଁ ଦୁଇଟି ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଜେଲ୍ ଛକଠାରେ ଏବଂ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଗଙ୍ଗାଧର ମଣ୍ଡପଠାରେ ସ୍ୱତନ୍ତ୍ର ଭାବେ ମଞ୍ଚ ପ୍ରସ୍ତୁତ ହୋଇ ଆୟୋଜିତ ହୋଇଥିଲା ।

ଗୁରୁ ସତ୍ୟ ନାରାୟଣ ବହିଦାନରଙ୍କ ଜନ୍ମ ଦିନକୁ ସମ୍ବଲପୁରୀ ଦିନ ଭାବେ ପାଳିତ ହେଉଛି । ସମ୍ବଲପୁରୀ ଭାଷା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗତ ୨୦୧୩ ମସିହାରୁ ଅଗଷ୍ଟ ୧ ତାରିଖରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ ନିଷ୍ପତି ହୋଇଥିଲା । ବର୍ତ୍ତମାନ ସମ୍ବଲପୁରୀ ଦିନ୍ ଉତ୍ସବ କେବଳ ଓଡ଼ିଶା ମଧ୍ୟରେ ସୀମିତ ନରହି ଏହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପାଳନ ହେଉଛି । ସମ୍ବଲପୁରରୀ ଭାଷା, କଳା ଓ ସଂସ୍କୃତିର ମଧୁରତା ହିଁ ଏହାକୁ ବିଶ୍ୱ ଦରବାରରେ ସ୍୍ୱତନ୍ତ୍ର ପରିଚୟ ଦେଇଛି । ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସମବେତ ଭାବେ ସ୍ୱତନ୍ତ୍ର ଦିନଟିଏ ପାଳନ ପାଇଁ ଯେଉଁ ପରିକଳ୍ପନା ହୋଇଥିଲା ତାହା ଅଳ୍ପ କିଛି ବର୍ଷ ମଧ୍ୟରେ ସମ୍ବଲପୁରୀ ଦିନ୍ ଭାବେ ସମଗ୍ର ବିଶ୍ୱରେ ଆଦ୍ରୁତ ହୋଇଛି । ଅଗଷ୍ଟ ୧ ତାରିଖ ଆସିବା ପୂର୍ବରୁ ଘରେ ଘରେ ଏନେଇ ସୃଷ୍ଟି ହେଉଛି ଉତ୍ସବର ବାତାବରଣ । ଏଥର ଗରଗଡ଼ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଜିଲ୍ଲାରେ କାର୍ଯ୍ୟକରୁଥିବା ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ଦିନ୍ ଅବସରରେ ସମ୍ବଲପୁରୀ ପୋଷାକ ପରିଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସରକାରୀ ସ୍ତରରେ ଏଭଳି ପଦକ୍ଷେପ, ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଅଧିକ ସଶକ୍ତ କରିଛି । ପଶ୍ଚିମ ଓଡ଼ିଶା ଏକତା ମଞ୍ଚ ପକ୍ଷରୁ ଏନେଇ ସ୍୍ୱତନ୍ତ୍ର ଭାବେ ଜେଳଛକ ନିକଟରେ ମଞ୍ଚ ପ୍ରସ୍ତୁତ ହୋଇଥିଲା ।

ବିଶିଷ୍ଟ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସମ୍ବଲପୁରୀ କାର୍ଯ୍ୟକ୍ରମ ସହ, ପିଠାପଣା, ଝୋଟି, ଚିତ୍ରକଳା, କବିତା ପାଠ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନେଇ ଦୀର୍ଘ ଦୀନ ହେଲା ମଞ୍ଚର କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେହିପରି ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ମଧ୍ୟ ଗଙ୍ଗାଧର ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କର୍ମକର୍ତ୍ତାଙ୍କ ପକ୍ଷରୁ ଇତିମଧ୍ୟରେ ମଞ୍ଚ ପ୍ରସ୍ତୁତ ହୋଇଥିବା ବେଳେ ସେଠାରେ ମଧ୍ୟ ପିଠାପଣା, ଝୋଟି, ଚିତ୍ରକଳା, କବିତା ପାଠ, ଫେସନ୍ ସୋ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ବିଶିଷ୍ଟ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

Comments are closed.