ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ତାରକା ସାଇନା ଏବଂ ପାରୁପାଲି କଶ୍ୟପ ବୈବାହିକ ବନ୍ଧନରୁ ଅଲଗା ହେଲେ । ପାରସ୍ପରିକ ସହମତିରେ ଉଭୟେ ଛାଡପତ୍ର ନେଇଛନ୍ତି । ଏନେଇ ସାଇନା ନିଜ ଇନ୍ସଟା ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିବାହର ୭ ବର୍ଷ ପରେ, ଉଭୟେ ଅଲଗା ହୋଇଛନ୍ତି। ସାଇନା ଏବଂ ଭାରତର ପୂର୍ବତନ ପୁରୁଷ ବ୍ୟାଡମିଣ୍ଟନ ତାରକା ପାରୁପାଲି କଶ୍ୟପ ଦୀର୍ଘ ଦିନର ସମ୍ପର୍କ ପରେ ୨୦୧୮ରେ ବିବାହ କରିଥିଲେ।
୩୫ ବର୍ଷୀୟ ପ୍ରବୀଣ ଭାରତୀୟ ତାରକା ସାଇନା ୧୩ ଜୁଲାଇ ରବିବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଘୋଷଣା କରିଥିଲେ। ସେ କହିଛନ୍ତି, “ଜୀବନ କେତେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ। ବହୁତ ଚିନ୍ତା କରିବା ପରେ, ପାରୁପାଲି କଶ୍ୟପ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଉଭୟ ନିଜ ପାଇଁ ଏବଂ ପରସ୍ପର ପାଇଁ ଶାନ୍ତି, ପ୍ରଗତି ଏବଂ ଆଶ୍ୱସ୍ତି ବାଛୁ।”
ସାଇନା ଏବଂ କଶ୍ୟପ ଏକାଠି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । କିଛି ବର୍ଷ ଧରି ଡେଟ କରିବା ପରେ ୨୦୧୮ ରେ ଉଭୟେ ବିବାହ କରିଥିଲେ। ଉଭୟ ନିଜ ନିଜ କ୍ୟାରିୟରର ଶିଖରରେ ବଡ଼ ସଫଳତା ହାସଲ କରିଛନ୍ତି। ଏତେ ସବୁ ଏକାଠି ହାସଲ କରିବା ପରେ ଏବେ ଦୁହେଁ ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଭୟ ପାରସ୍ପରିକ ସହମତିରେ ଛାଡପତ୍ର ନେଇଥିବା ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ହେଲେ ସେମାନଙ୍କ ଅଲଗା ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।