ନୂଆଦିଲ୍ଲୀ : ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଲାଗି ସରକାର ଆସନ୍ତା ୧୫ ଦିନ ଭିତରେ ଗାଇଡ୍ ଲାଇନ୍ ଜାରି କରିବେ । ସେମାନେ ପ୍ରଚାର କରୁଥିବା ଉତ୍ପାଦ ସହ କ’ଣ ସମ୍ପର୍କ ରହିଛି ତାହା ତାଙ୍କୁ ଘୋଷଣା କରିବାକୁ ପଡ଼ିବ । ଉପଭୋକ୍ତା ବ୍ୟାପାର ବିଭାଗ ସେହି ଗାଇଡ୍ଲାଇନ ପ୍ରସ୍ତୁତ କରୁଛି ।
ସେଥିରେ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିମାନେ କ’ଣ କରିବେ ଓ କ’ଣ ନକରିବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ । ସରକାରଙ୍କ ପାଖରେ ଖବର ରହିଛି ଯେ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆରେ ଅଧିକ ଅନୁଗାମୀ ଥିବା ଲୋକମାନେ କଂପାନିଗୁଡ଼ିକ ଠାରୁ ଟଙ୍କା ନେଇ ପ୍ରତିବଦଳରେ ସେମାନଙ୍କ ଉତ୍ପାଦର ପ୍ରଚାର କରୁଛନ୍ତି ।
ସେହିପରି ଇ-କମର୍ସ ସାଇଟ୍ର ନକଲି ରିଭ୍ୟୁ ଉପରେ ଅଙ୍କୁଶ ଲଗାଇବା ପାଇଁ ମଧ୍ୟ ବିଭାଗ ଏକ ବ୍ୟବସ୍ଥା ବିକଶିତ କରିଛି ଯାହା ଖୁବ୍ଶୀଘ୍ର ଜାରି କରାଯିବ । ନକଲି ରିଭ୍ୟୁ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଛି ଓ ସେମାନେ କିଣାକିଣି ବେଳେ ଭୁଲ ନିଷ୍ପତ୍ତି ନେଉଛନ୍ତି । ଏହି ସମସ୍ୟା ଉପରେ ସରକାର ଅଙ୍କୁଶ ଲଗାଇବାକୁ ଚାହୁଛନ୍ତି ।

Comments are closed.