ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି

ପୁରୀ: ଜୁନ ୧୧: ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣି ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ । ସକାଳ ଧୂପ ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରି ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି । ଏହା ପରେ ବିମାନ ବଡୁସେବକ ମହାପ୍ରଭୁଙ୍କୁ ପାଲିଙ୍କିରେ ନେଇ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି । ସେଠାରେ ଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇଥାନ୍ତି । ଏହା ପରେ ଚିଟାଉ ଲେଖା ହୁଏ । ଆଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ମଦନ ମୋହନ ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି । ତାପରେ ବିମଳା ମନ୍ଦିରକୁ ଯାଆନ୍ତ । ଆଗରୁ ଲକ୍ଷ୍ମୀ ମନ୍ଦିରରୁ ଶ୍ରୀଦେବୀ ବିମଳା ମନ୍ଦିର ଆସିଥାନ୍ତି । ଶ୍ରୀଦେବୀ ବିମଳାଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ମଦନମୋହନ ଶ୍ରୀଦେବୀଙ୍କୁ ରୁକ୍ମିଣୀ ହରଣ କରିଥାନ୍ତି । ପରେ ଶ୍ରୀଦେବୀ ଓ ଶ୍ରୀମନ୍ଦନ ମୋହନକୁ ପଂକ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ । ସେପଟେ ରଥଖଳାରେ ଚାଲିଛି ଜୋରସୋର କାମ । ସମୟ ପୂର୍ବରୁ ରଥ କାମ ଶେଷ ହେବ ବୋଲି ଆଶା କରାଯାଉଛି । ତିନି ଦିନ ପୂର୍ବରୁ ତିନି ରଥର ଚାରିନାହାକା ଉଠି ସାରିଛି । ଆସନ୍ତା ୧୪ରେ ଦେବସ୍ନାନ ପୂର୍ଣ୍ଣିମା । ତାପୂର୍ବରୁ ତିନିରଥର ଚାରିନାହାକା ଉଠିଛି ।ଚଳିତ ବର୍ଷ ଆଗୁଆ ରଥ କାମ ଚାଲିଥବା ବେଳେ ଏବେ ରଥର ଉପରି ଭାଗ ନିର୍ମାଣ କାର୍ଯ୍ୟ ଚାଲିବ । ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ସବୁ ପ୍ରସ୍ତୁତି ସରିଛି । ଏନେଇ ଦଇତାପତି ନିଯୋଗ ସହ ବୈଠକ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସ୍ନାନଯାତ୍ରା ଓ ଘୋଷଯାତ୍ରାରେ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ପାନୀୟଜଳ ଓ ଟ୍ରାଫିକ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଛି ।

Govt

Comments are closed.