ସମ୍ବଲପୁର : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ଅତ୍ୟନ୍ତ ପୀଡ଼ାଦାୟକ ଓ ଦୁର୍ଭାଗ୍ୟଜନକ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଏବଂ ଗତ ୩ ଦିନ ଧରି ସରକାରଙ୍କ ଦ୍ୱାରା ବିଶେଷ ଭାବରେ ପଦକ୍ଷେପ ଗ୍ରହଣ ନ କରିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ଏହି ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଆଜି ଏଠାରେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଥିଲେ ଏହା କେବଳ ଗୋଟିଏ ଘଟଣା ନୁହେଁ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ କିଛିଦିନ ପୂର୍ବରୁ ଆଉ ୨ ଜଣ (ଜଣେ ଛାତ୍ରୀ ଓ ଜଣେ ଛାତ୍ର)ଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ରୂପ ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଥିବା ରାଗିଂ ମୃତ୍ୟୁ ଘଟଣାରେ ‘ଆଇନ ତା ବାଟରେ ଯିବ’ କହୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୦୯ ମସିହାରେ ବିଚାରପତି ଅରଜିତ ପଶାୟତଙ୍କ ଖଣ୍ଡପୀଠ ଦ୍ୱାରା କେରଳ ବିଶ୍ୱବିଦ୍ୟାଳୟ ସଂପର୍କିତ ମାମଲାର ବିଚାରବେଳେ ଦିଆଯାଇଥିବା ରାୟକୁ ଶୀଘ୍ର ରାଜ୍ୟ ସରକାର ପାଳନ କର;ୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୂର୍ବତନ ସିବିଆଇ ନିର୍ଦେଶକ ଡ. ଆର.କେ. ରାଘବନଙ୍କ ନେତୃତ୍ୱରେ ରାଗିଂ ନିରାକରଣ ପାଇଁ ଗଠିତ ଏକ କମିଟିର ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କର;ୁ ।
ଏଥିସହିତ, ଓଡ଼ିଶାରେ ତୁରନ୍ତ ରାଜ୍ୟସ୍ତରୀୟ ଆଣ୍ଟି ରାଗିଂ ଟାସ୍କଫୋର୍ସ ଗଠନ ସହିତ ହେଲ¬ଲାଇନ୍ ଜାରି କରିବାକୁ ସରକାର ତୁରନ୍ତ ଅଧିନିୟମ ଆଣ;ୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଥିଲେ । ସାମ୍ବାଦିକ ସମ୍ମିଳନୀରେ କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ଓ ଯୁବମୋର୍ଚ୍ଚାର ରାଜ୍ୟ ଗଣମାଧ୍ୟମ ସହ-ସଂଯୋଜିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ବାଗ ଉପସ୍ଥିତ ଥିଲେ ।
Comments are closed.