ଭୁବନେଶ୍ୱର: ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ-ବିଜେଡି ମୁହାଁମୁହିଁ । ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ଼ ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ତେବେ ପୋଲିସ ରବର ବୁଲେଟ ମାଡ଼ କରିଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ଏଥିରେ ବିଜେଡିର ୫ ଜଣ ଆଜି ଧାଡ଼ିର ନେତା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ବେଳେ ପୋଲିସର ଏଭଳି ଗୁଣ୍ଡାଗର୍ଦ୍ଦିକୁ ଦୃଢ ନିନ୍ଦା କରିଛନ୍ତି ।
ଏହି ଘଟଣାରେ ପୋଲିସ କମିସନର ଏସ୍.ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି,ଆନ୍ଦୋଳନକାରୀଙ୍କ ଉପରେ ରବର ବୁଲେଟ୍ ମାଡ଼ କରାଯାଇନାହିଁ । କେବଳ ୫ଟି ଲୁହବୁହା ଗ୍ୟାସ୍ ଏବଂ ପାଣି ମାଡ଼ କରାଯାଇଛି । ଏଆଇ ଡ୍ରୋନ୍ ଯୋଗେ ଆନ୍ଦୋଳନକାରୀଙ୍କ ଦୃଶ୍ୟ କଏଦ ହୋଇଛି । ହିଂସା ଘଟାଇଥିବା ଚିତ୍ର ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଛନ୍ତି, ଡ୍ରୋନ୍ ସାହାଯ୍ୟରେ ସମସ୍ତ କର୍ମୀଙ୍କୁ ଚିହ୍ନଟ କରାଯାଇଛି । ଆମେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ଫୋର୍ସ ମୁତୟନ କରିଥିଲୁ । ପ୍ରଥମ ବ୍ୟାରିକେଡ଼ ଭାଙ୍ଗିବା ପରେ, ଟିୟର ଗ୍ୟାସ୍ ପ୍ରୟୋଗ ଓ ପାଣି ମାଡ଼ କରାଯାଇଥିଲା । ଉଭୟ ପକ୍ଷରୁ କିଛି ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ପୁରା ଘଟଣାକ୍ରମକୁ ପୋଲିସ ସେବା ଭବନରୁ ମନିଟର କରାଯାଇଛି ବୋଲି ପୋଲିସ କମିସନର କହିଛନ୍ତି ।

Comments are closed.