ଆସିକା : ସାର ପାଇଁ ଚପଲ ଲାଇନ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆସିକା ସମବାୟ ଯୋଗାଣ କେନ୍ଦ୍ର ଆଗରେ । ଆଜି ସକାଳେ ଚାଷୀମାନେ ଲାଇନରେ ଜୋତା ରଖି ଜଗି ବସିଛନ୍ତି । ଚିନ୍ତା ବଢାଇଛି ୟୁରିଆ କଳାବଜାରୀ । ବସ୍ତାଏ ସାର ପାଇଁ ବିଳମ୍ବିତ ରାତିରୁ ଘଣ୍ଟା ଘଣ୍ଟା ଧରିଲମ୍ବା ଲାଇନରେ ଯୋଗାଣ କେନ୍ଦ୍ର ସମ୍ମୁଖରେ ଜଗି ବସିଛନ୍ତି ଚାଷୀ ।
ସେହିପରି ଗତକାଲି ମାଲକାନଗିରିରେ ବି ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗତକାଲି ଚାଷୀମାନେ ରାସ୍ତା ଅବରୋଧ ବି କରିଥିଲେ । ଧାନ ଚାଷ ପାଇଁ ୟୁରିଆ ସାର ଅଧିକ ଆବଶ୍ୟକ ଥିବା ବେଳେ ଗତ କିଛି ଦିନ ହେବ ସାରର କଳାବଜାରୀ ଚାଷୀଙ୍କ ସମସ୍ୟା ବଢ଼ାଇଛି ।
ମାଲକାନଗିରିରେ ୮୦୦ରୁ ୧ହଜାର ଟଙ୍କା ଦରରେ ୟୁରିଆ ସାର ବିକ୍ରି କରୁଥିଲେ ଡିଲର। ପ୍ରତିବାଦରେ ରାଜରାସ୍ତା ଅବରୋଧ କରିିଥିଲେ ମାଲକାନଗିରି ମୋଟୁ ଅଂଚଳର ଚାଷୀ । ପୁଶୁଗୁଡା ସ୍ଥିତ ଜ୍ୟୋତିର୍ମୟୀ ଆଣ୍ଡ ସୁଦର୍ଶନ ଟ୍ରେଡର୍ସ ନାମକ ଡିଲର ଗୋଦାମରେ ୟୁରିଆ ସାର ଗଚ୍ଛିତ ରଖି ସାରର କଳାବଜାରୀ କରୁଥିବା ଜାଣିବାକୁ ପାଇ ଚାଷୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ମୋଟୁ ପୁଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା ।
