ମଉଳିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆଶା

ସମ୍ବଲପୁର : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ I ଆଜି ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି କି ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଅନାବଶ୍ୟକ I ସେହି କାରଣରୁ ସେଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ I ବର୍ତ୍ତମାନ ଟେକ୍ନୋଲୋଜିର ବ୍ୟବହାର ବଢିଛି । ଅନଲାଇନ୍ ଦୁନିଆରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଅବାସ୍ତବ ବୋଲି କୋର୍ଟ କହିଛନ୍ତି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କିମ୍ବା ଅଲଗା ଅଞ୍ଚଳକୁ ସ୍ଥାନାନ୍ତର ଏକ ପିଲାଳିଆମି ଦାବି । କୌଣସି ଏକ ଜିଲ୍ଲା କୋର୍ଟରୁ ହାଇକୋର୍ଟ ପାଇଁ ଅନଲାଇନରେ କେସ୍ ଫାଇଲ୍ ହୋଇପାରିବ ଏବଂ ଭର୍ଚୁଆଲରେ ଶୁଣାଣି ହୋଇପାରିବ । ତେଣୁ କୌଣସି ସ୍ଥିତିରେ ବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବନି । ଏନେଇ ସମସ୍ତ ସମ୍ଭାବନାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ସେହିପରି କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ଦାବି ଉଠିବା ପରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ‘ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ହୋଇପାରିବ ନାହିଁ ।’

ସୂଚନାନୁସାରେ ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏ ସଂପର୍କୀତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ। ସୋମବାର ସମ୍ବଲପୁରରେ ଆଇନଜୀବୀମାନେ ସେମାନଙ୍କ ଉଗ୍ରତା ପ୍ରଦର୍ଶନ କରି କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ। ପୁଲିସ୍‌ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

ଆଜି ଏହି ଶୁଣାଣି ବେଳେ ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ଏଏସ ଓକାଙ୍କ ଖଣ୍ଡପୀଠ ବଡ଼ ମତ ରଖିଥିଲେ। ପ୍ରଥମେ ଓଡ଼ିଶା ପୁଲିସ୍‌କୁ ଖଣ୍ଡପୀଠ ତୀବ୍ର ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଉଭୟଙ୍କୁ ଆଜି ହାଜର ପାଇଁ ନିର୍ଦ୍ଦେଶ କରିଥିଲେ ସୁପ୍ରିମକୋର୍ଟ । ଉତ୍ତରାଞ୍ଚଳ ଆଇଜି ଭଙ୍ଗାରୁଜା ଘଟଣାରେ ପୁଲିସ୍‌ ନେଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ପୁଲିସ ଉପସ୍ଥିତ ସତ୍ତ୍ୱେ ବ୍ୟାପକ ଭଙ୍ଗାରୁଜା ହୋଇଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ୧୫ ପ୍ଲାଟୁନ ଫୋର୍ସ ଥିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା? ଆପଣମାନେ ଆଇନଶୃଙ୍ଖଳା ପରିସ୍ଥିତିକୁ ଏହିଭଳି ନିୟନ୍ତ୍ରଣ କରୁଛ କି? ଆପଣମାନେ ଯଦି ପାରୁନାହାନ୍ତି , ତେବେ ଆମେ ପାରାମିଲିଟାରୀ ଫୋର୍ସ ଦେବୁ। ଏହା ପୁଲିସର ଚରମ ବିଫଳତା। ଆଇନ ଶୃଙ୍ଖଳା ରକ୍ଷା କରିବା ପୁଲିସର ଦାୟିତ୍ୱ। ଏକଥା ପୁଲିସ୍‌ ମନେ ରଖିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ଘଟଣାକୁ ପୋଲିସର ବିଫଳତା କହି ଭର୍ତ୍ସନା କରିଥିଲେ ବିଚାରପତି । ଏଥିସହ ଖଣ୍ଡପୀଠ କହିଥିଲେକି ପଶ୍ଚିମଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନର ଯାହା କିଛି ସମ୍ଭାବନା ଥିଲା,ଓକିଲମାନଙ୍କ ଅଶୋଭନୀୟ ଆଚରଣ ଯୋଗୁ ତାହା ବନ୍ଦ ହୋଇଯାଇଛି।

Govt

Comments are closed.