ଫିଟ ରହିବା ପାଇଁ ବ୍ୟାୟାମ ଯେତିକି ଆବଶ୍ୟକ ଖାଦ୍ୟର ମଧ୍ୟ ସେତିକି ଜରୁରୀ । ଖାଦ୍ୟ ଆମ ଶରୀରର ଇନ୍ଧନ ଭଳି କାର୍ଯ୍ୟ କରିଥାଏ । ଯେତେ ବ୍ୟାୟାମ କରିଲେ ମଧ୍ୟ ଖାଦ୍ୟ ଠିକ ରହିଲେ ହିଁ ଆମର ଫିଟନେସ ଠିକ୍ ରହିବ । କେବଳ ବାହାର ପ୍ରୋଟିନ୍ ନୁହେଁ ଘରେ ପ୍ରସ୍ତୁତ ଭାରତୀୟ ଖାଦ୍ୟ ମଧ୍ୟ ଆମକୁ ଫିଟ୍ ରଖିପାରିବ ।
ଘରେ ପ୍ରସ୍ତୁତ ଖାଦ୍ୟର ଗୁରୁତ୍ବତା
ଘରେ ପ୍ରସ୍ତୁତ ଖାଦ୍ୟ ବିଭିନ୍ନ ପୋଷଣରେ ଭରପୂର ହୋଇଥାଏ । ଏହି ସମସ୍ତ ଖାଦ୍ୟରେ ବିଭିନ୍ନ ଭିଟାମିନ, ଫାଇବର ସହିତ ଅନ୍ୟ ପୋଷକ ତତ୍ବ ଭରି ରହିଥାଏ । ଏଗୁଡିକ ଘରେ ପ୍ରସ୍ତୁତ ହୋଇଥିବାରୁ ତେଲ ମସଲା କମ ବ୍ୟବହାର ହେବା ସହିତ ସତେଜ ହୋଇଥାଏ । ସେହିଭଳି ଏଭଳି ସାମଗ୍ରୀକୁ ବାଛି ଏହି ଖାଦ୍ୟ ପ୍ରସ୍ତୁତ ହୁଏ ଯାହାଦ୍ବାରା ଗୋଟିଏ ପ୍ଲେଟ ଖାଦ୍ୟରେ ସମସ୍ତ ପୋଷଣ ମିଶି ରହିଥାଏ । ଘରେ ସବୁବେଳେ ଖାଦ୍ୟ ପ୍ରସ୍ତୁତ ସମୟରେ ସତେଜ ପନିପରିବାର ବ୍ୟବହାର ହୋଇଥାଏ, ଯାହା ଏହାକୁ ବିଶେଷଭାବେ ପୋଷଣରେ ଭରିଥାଏ । ସେହିଭଳି ପାରମ୍ପରିକ ରୋଷେଇ ପଦ୍ଧତି ମଧ୍ୟ ଆମକୁ ସୁସ୍ଥ ଖାଦ୍ୟ ଦେଇଥାଏ । ତେଣୁ ଫିଟ୍ ରହିବା ପାଇଁ ସବୁବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପ୍ରାଧ୍ୟାନ ଦିଅନ୍ତୁ ।

ବାଲାନ୍ସ ମିଲ
ଖାଦ୍ୟ ପ୍ଲେଟରେ ଯେତେବେଳେ ସବୁ ପ୍ରକାର ପୋଷଣ ରହିଥାଏ, ସେତେବେଳେ ଏହାଏକ ବାଲାନ୍ସ ମିଲ ପାଲଟିଥାଏ । ତେବେ ଗୋଟିଏ ପାରମ୍ପରିକ ଭାରତୀୟ ଖାଦ୍ୟ ଥାଳି ସମସ୍ତ ପୋଷଣରେ ଭରପୁର ଥାଏ । ଶ୍ବେତସାର ଭାବେ ରୁଟି, ଭାତ ଓ ବିଭିନ୍ନ ପ୍ରକାର ଶସ୍ୟ ଯଥା ମାଣ୍ଡିଆ, ଯଅ, ବାଜରା ଆଦି । ପ୍ରୋଟିନରେ ଡାଲି, ପନିର, ଦହି, ଅଣ୍ଡା, ମାଂସ । ଫ୍ୟାଟରେ ଘିଅ, ମଞ୍ଜି ଯାତୀୟ ଖାଦ୍ୟ, ମାଇକ୍ରୋ ନ୍ୟୁଟ୍ରିଏଣ୍ଟରେ ପନିପରିବା, ଫଳ, ବିଭିନ୍ନ ମସଲା ଯେପରି ହଳଦୀ, ଜୀରା ଓ ଭୁସଙ୍ଗପତ୍ର ଆଦି ରହିଛି । ଏହି ସମସ୍ତ ଖାଦ୍ୟ ଆମକୁ ଭିଟାମିନ ସହିତ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ, ଯାହା ଫିଟନେସ ପାଇଁ ଖୁବ ଆବଶ୍ୟକ ହୋଇଥାଏ ।
ମସଲା
ଭାରତୀୟ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର ହୋଇଥାଏ । ତେବେ ଅଧିକ ତେଲ ମସଲା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ କିନ୍ତୁ ଏହାକୁ ନିୟନ୍ତ୍ରିତ ପରିମାଣରେ ବ୍ୟବହାର କରିବାଦ୍ବାରା ଏହାର ଲାଭ ମଧ୍ୟ ଆମକୁ ମିଳିଥାଏ । ଯେପରି ରୋଷେଇରେ ବ୍ୟବହୃତ ହେଉଥିବା ହଳଦୀରେ ଆଣ୍ଟି ଇନ୍ଫ୍ଲାମେଟୋରୀ ଶକ୍ତି ରହିଥାଏ ଯାହା ଆମ ପାଇଁ ଖୁବ ଲାଭକର । ଯାହା ଅନେକ କ୍ଷତ ପାଇଁ ଲାଭ ଦାୟକ ହୋଇଥାଏ । ଜୀରାରେ ହଜମଶକ୍ତି ରହିଥାଏ, ତେଣୁ ଏହାକୁ ଖାଇବା ଆମ ପାଚନତନ୍ତ୍ର ପାଇ ଖୁବ ଲାଭ ଦାୟକ ହୋଇଥାଏ । ଏହାପରେ ଭାରତୀୟଖାଦ୍ୟରେ ବ୍ୟବହାର ହୋଇଥାଏ ଜୁଆଣି ଯାହା ଆମ ମେଟାବଲିଜିମ୍ ପ୍ରକ୍ରିୟା ପାଇଁ ଖୁବ ଲାଭ ଦାୟକ । ଏହା ଆମର ଶରୀରର ପାଇଁ ଖୁବ ଉପକାରୀ ହୋଇଥାଏ । ରୋଷେଇରେ ବ୍ୟବହାର ହେଉଥିବା ଅଦା ରସୁଣ ଆମର ରକ୍ତ ସଞ୍ଚାଳନ ପାଇଁ ଲାଭ ଦାୟକ ହୋଇଥାଏ । ତେଣୁ ଭାରତୀୟ ଖାଦ୍ୟରେ ବ୍ୟବହୃତ ସମସ୍ତ ମସଲାର କିଛି ନା କିଛି ଔଷଧୀୟ ଗୁଣ ରହିଛି । ହେଲେ ସମସ୍ତ ମସଲାକୁ ଘରେ ପ୍ରସ୍ତୁତ କରି ବ୍ୟବହାର କରିବା ଲାଭଦାୟକ ।

ଖାଦ୍ୟ ଖାଇବାର ନିୟମ
ତେବେ ସବୁ ଜିନିଷ କିଛି ନିର୍ଦ୍ଧିଷ୍ଟ ନିୟମ ଅନୁସାରେ ହେଲେ ଏହା ଆମର ଶରୀର ପାଇଁ ଉପକାରୀ ହୋଇଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ ମଧ୍ୟ କିଛି ନିୟମ ମାନିବାଦ୍ବାରା ଆମେ ଏକ ସୁସ୍ଥ ଜୀବନ ବିତାଇ ପାରିବା । ଏକାଥରେ ଅଧିକ ଖାଦ୍ୟ ନଖାଇ, ଅଳ୍ପ ପରିମାଣର ଖାଦ୍ୟ ଥରଥର କରି ଖାଇବା ଦ୍ବାରା ଆମର ମେଟାବଲିଜିମ ଆକ୍ଟିଭ ରହିଥାଏ । ସେହିଭଳି ସବୁବେଳେ ସକାଳର ଜଳଖିଆ ଅଧିକ ପୋଷଣପୂର୍ଣ୍ଣ କରନ୍ତୁ । ସେହିଭଳି ଖାଦ୍ୟ ଖାଇବା ସମୟରେ ସବୁବେଳେ ଚୋବାଇ ଖାଆନ୍ତୁ । ସବୁବେଳେ ଅଧିକ ଖାଇବାଠୁ ଦୂରରେ ରୁହନ୍ତୁ । ପ୍ରତିଦିନ ଚେଷ୍ଟା କରନ୍ତୁ ରାତି ଖାଇବା ଶୀଘ୍ର କରିବେ ଯେପରି ଶୀଘ୍ର ହଜମ ହେବ । ବାହାର ଖାଦ୍ୟ ସହିତ ବଜାରରେ ମିଳୁଥିବା ପ୍ରୋସେସ ଫୁଡ ଠାରୁ ଦୂରରେ ରୁହନ୍ତୁ । ଏହା ଆମ ଶରୀର ପାଇଁ ଭଲ ହୋଇନଥାଏ । ସେହିଭଳି ଡାକ୍ତର କିମ୍ବା ଏକ୍ସପର୍ଟଙ୍କ ପରାମର୍ଶରେ ନିଜର ଖାଦ୍ୟ ତାଲିକା ପ୍ରସ୍ତୁତ କରନ୍ତୁ ।
