ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ତିନି ଚକିଆ ସାଇକେଲ ତିଆରି କଲେ ଅବସରପ୍ରାପ୍ତ ଶିକ୍ଷକ

ବୌଦ୍ଧ: ବୌଦ୍ଧ ସହର ରାଜନପାଲି ସାହିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓଁକାର ପ୍ରଧାନ ଏକ ଟ୍ରାଇ ସାଇକେଲ ତିଆରିକରି ଚର୍ଚ୍ଚାରେ । ସାଇକେଲଟିରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା । ସବୁବେଳେ କିଛି ନୂଆ କରିଦେଖାଇବାର ଝୁଙ୍କ୍‌ ଯୋଗୁଁ ଓଁକାର ଶିକ୍ଷକତାରୁ ଅବସର ପରେ ଘରେ ବସି ନରହି ନିଜ ପାଇଁ ତିଆରି କରିଥିଲେ ଏହି ତିନିଚକିଆ ସାଇକେଲ । ବୟସ ୭୭ ହୋଇଗଲା ପରେ ଆଉ ସାଇକେଲ ଚଳାଇବାକୁ ବଳ ପାଉନାହିଁ । ରାସ୍ତାରେ କୋଉଠି ପଡିଯିବାର ଭୟ । ଏପରିସ୍ଥଳେ ଡାକ୍ତର ପରାମର୍ଶ ଦେଲେ ପ୍ରତିଦିନ କିଛି ବ୍ୟାୟାମ କରିବାକୁ । ହେଲେ ଘର ଭିତରେ ବ୍ୟାୟାମ କରିବା ଅପେକ୍ଷା ଓଁକାର ଏମିତି କିଛି ସନ୍ଧାନରେ ଥିଲେ ଯାହାକି ବ୍ୟାୟାମ ସହିତ ବାହାରେ ଟିକିଏ ବନ୍ଧୁବର୍ଗଙ୍କ ସହ ଭେଟଘାଟ ମଧ୍ୟ ହୋଇପାରିବ ।

ଏମିତି ଭାବୁ ଭାବୁ ଘର ଅଗଣାରେ ଥିବା ପୁରୁଣା ସାଇକେଲଟି ଉପରେ ତାଙ୍କର ନଜର ପଡିଥିଲା । ତାକୁ ନେଇ ଆରମ୍ଭ କଲେ ବରିଷ୍ଠ ନାଗରିକଙ୍କ ପାଇଁ ସାଇକେଲ ତିଆରି ଅଭିଯାନ । ଘରେ ଥିବା ପୁରୁଣା ସାଇକେଲର ଯନ୍ତ୍ରାଂଶକୁ ଖୋଲିବା ସହ ବଜାରରୁ ଆଉକିଛି ଯନ୍ତ୍ରାଂଶ ବଜାରରୁ ଆଣି ଲାଗି ପଡିଲେ ସାଇକେଲ ତିଆରିରେ । ଦୀର୍ଘ ୬ ମାସର ଅକ୍ଲାନ୍ତ ପରିଶ୍ରମ ପରେ ମାତ୍ର ୫ ହଜାର ଟଙ୍କା ଖର୍ଚ୍ଚରେ ତିଆରି ହୋଇଗଲା ତାଙ୍କର ସ୍ୱପ୍ନର ସାଇକେଲ । ସାଇକେଲଟିକୁ ନାମ ଦେଲେ ଜଗିଂ ଟ୍ରାଇ ସାଇକେଲ ଫର ସିନିୟର ସିଟିଜନ । ଏଥିରେ ତିନୋଟି ଚକ ରହିଥିବାରୁ ପଡିଯିବାର ଭୟ ନାହିଁ । ପଛରେ ଆବଶ୍ୟକୀୟ ସାମଗ୍ରୀ ରଖିବା ପାଇଁ ଲାଗିଛି ସ୍ୱତନ୍ତ୍ର କ୍ୟାରିୟର । ସାଧାରଣ ସାଇକେଲ ଭଳି ଏଥିରେ ଲାଗିଛି କ୍ରାଙ୍କ,ଚେନ,ପେଡାଲ,ଫ୍ରିହ୍ୱିଲ,ହବ ଭଳି ଆନୁଷଙ୍ଗିକ ଯନ୍ତ୍ରାଂଶ । ହେଲେ ଏଥିରେ ଫୁଲ ନୁହେଁ ହାଫ ପେଡାଲରେ ଚାଲେ ସାଇକେଲ ।

ଯାହାକି ଅନ୍ୟ ସାଇକେଲ ଠାରୁ ସୁବିଧାଜନକ ଏବଂ ବୟସ୍କ ଲୋକ ଏପରିକି ପୂର୍ବରୁ ସାଇକେଲ ଚଳାଇପାରୁନଥିବା ଲୋକଙ୍କ ପାଇଁ ମଧ୍ୟ ସୁବିଧା ହୋଇଥାଏ । ବର୍ତ୍ତମାନ ଏହି ସାଇକେଲ ନେଇ ଓଁକାର ପ୍ରତିଦିନ ବଜାର ଯିବାଠାରୁ ଆରମ୍ଭ କରି ନିଜର ଯାବତୀୟ କାର୍ଯ୍ୟ କରିପାରୁଛନ୍ତି । ସାଇକେଲ ଚଳାଇବା ସମୟରେ ତାଙ୍କର ବ୍ୟାୟାମ ମଧ୍ୟ ହୋଇଯିବା ସହିତ ଥକା ହୋଇଗଲେ ଯେଉଁଠି ଚାହିଁଲେ ସାଇକେଲରୁ ନ ଓହ୍ଲାଇ ଅଟକି ମଧ୍ୟ ଯାଉଛନ୍ତିି । ଓଁକାରଙ୍କ ଦ୍ୱାରା ନିର୍ମିତ ସାଇକେଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସାଇକେଲଟି ବିଶେଷ କରି ବୟସ୍କମାନଙ୍କ ପାଇଁ ଲାଭଦାୟକ ବୋଲି ସେ ପ୍ରକାଶ କରିଛନ୍ତି ।

Govt

Comments are closed.